ନିଖୋଜ ଯୁବକଙ୍କ ଶବ ଉଦ୍ଧାର: ହତ୍ୟା ସନ୍ଦେହରେ ସଂପର୍କୀୟ ଦାଦା ଅଟକ

କାଲିମେଳା: ଦୁଇ ଦିନ ହେଲା ନିଖୋଜ ଥିବା ଜଣେ ଯୁବକଙ୍କ ଶବ ମାଲକାନଗିରି ଜିଲ୍ଲା ମୋଟୁ ପୁଲିସ ଜବତ କରିଛି। ଯୁବକଙ୍କୁ ହତ୍ୟା କରିବା ପରେ ଶବକୁ କେହି ପୋତି ଦେଇଥିବା ପୁଲିସ କହିଛି। ସନ୍ଦେହରେ ପୁଲିସ ମୃତ ଯୁବକଙ୍କ ସଂପର୍କୀୟ ଦାଦାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ପିନାମାଦିଗୁରୁ ଗ୍ରାମର ଭୀମା କାବାସୀ ଓ ସଂପର୍କୀୟ ଦାଦାଙ୍କ ମଧ୍ୟରେ ଗତ କିଛି ଦିନ ତଳେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଗତ ଦୁଇ ଦିନ ତଳେ ଭୀମା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ। ଶେଷରେ ଏନେଇ ପରିବାର ଲୋକ ମୋଟୁ ଥାନାରେ ଏତଲା ଦେବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ଗାଁ ନିକଟସ୍ଥ ଏକ ସ୍ଥାନରେ ପୋତି ଦିଆଯାଇଥିବା ଭୀମାଙ୍କ ଶବକୁ ପୁଲିସ ଜବତ କରିଥିଲା। ଭୀମାଙ୍କୁ ହତ୍ୟା କରାଯାଇଥିବା ନେଇ ଆଜି ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୁଲିସ ସନ୍ଦେହରେ ମୃତ ଭୀମାଙ୍କ ସଂପର୍କୀୟ ଦାଦାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର