ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ କାଳକ୍ଷମତା ଠାରୁ ଅଧିକା ବୋହୁଛି ଲଞ୍ଚ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ରହିଛି ସାତୋଟି ପଞ୍ଚାୟତ। ଏହି ପଞ୍ଚାୟତ ଗୁଡିକ ଅଧୀନରେ ୧୫୧ଟି ଗ୍ରାମ ରହିଛି। ଜଳବନ୍ଦୀ ଜୀବନ ବିତାଉଥିବା ହଜାର ହଜାର ଲୋକ ବାଲିମେଳା ଜଳଭଣ୍ଡାର ପାରହୋଇ ନିଜ ଗ୍ରାମରୁ ବ୍ଲକ ସଦର ମହକୁମାକୁ ଆସୁଛନ୍ତି। ଏଥିପାଇଁ ଲଞ୍ଚ ଉପରେ ନିର୍ଭର କରିଥାନ୍ତି। ଲୋକଙ୍କ ଗମନାଗମନ ପାଇଁ ବର୍ତ୍ତମାନ ୫ଟି ଲଞ୍ଚ ଚାଲିଛି। ସେଥିମଧ୍ୟରୁ ଦୁଇଟି ଲଞ୍ଚ ଯନ୍ତ୍ରୀକୁ ଯାଉଥିବା ବେଳେ ଦୁଇଟି ସିନ୍ଧିପୁଟ ଏବଂ ଗୋଟିଏ ଆଲମପାକାକୁ ଯାଉଛି। ତେବେ ଏହି ଲଞ୍ଚ ଗୁଡିକରେ ଯେତିକି ପରିବହନ କରିବାର କ୍ଷମତା ରହିଛି ତାଠାରୁ ଅଧିକ ଯାତ୍ରୀ ସହ ଜିନିଷପତ୍ର ନଦୀ ପାର ହେଉଛି। ଲୋକ ସଂଖ୍ୟା ଅନୁପାତରେ ଲଞ୍ଚ ସଂଖ୍ୟା କମ ଥିବାରୁ ଲୋକେ ବାଧ୍ୟ ହୋଇ ଖୁନ୍ଦାଖୁନ୍ଦି ହୋଇ ଏଥିରେ ବିପଦ ସଂକୁଳ ଅବସ୍ଥାରେ ଯାଉଛନ୍ତି। ଏଥିସହ ବିଭିନ୍ନ ସମୟରେ ଲଞ୍ଚରେ ସିମେଣ୍ଟ, ଆଜବେଷ୍ଟେସ ଭଳି ଭାରୀ ସାମଗ୍ରୀ ପରିବହନ କରାଯାଉଛି। ତେଣୁ ଏଭଳି ଯାତ୍ରା ସମୟରେ କୌଣସି ମୁହୂର୍ତରେ ବି ଅଘଟଣ ଘଟିବାର ଆଶଙ୍କା କରାଯାଉଛି।
ଅଣ୍ଡ୍ରାପାଲି, ପଣସପୁଟ, ଜଡାଆମ୍ବ ଏବଂ ପେପରମେଟଲା ଆଦି ପଞ୍ଚାୟତ ଚିତ୍ରକୋଣ୍ଡା ଘାଟ ଠାରୁ ବହୁ ଦୂରରେ ରହିଥିବାରୁ ଏହି ଅଂଚଳକୁ ନିୟମିତ ଲଞ୍ଚ ଚଳାଚଳ କରିଥାଏ। ନଦୀ ଘାଟରୁ ଯନ୍ତ୍ରୀ ଏବଂ ସିନ୍ଧିପୁଟକୁ ଜଳପଥରେ ଦୂରତା ପ୍ରାୟ ୬୦ କିଲୋମିଟର। ବିଶାଳ ଜଳଭାଗରେ ମାତ୍ରାଧିକ ଯାତ୍ରୀ ଏବଂ ମାଲ ଲଦାହୋଇ ଏତେଦୂର ଅତିକ୍ରମ କରିବା କେତେ ସୁରକ୍ଷିତ ତାହା ସହଜରେ ଅନୁମେୟ। ଯଦି କୌଣସି କାରଣରୁ ମଝିରେ ଲଞ୍ଚ ଖରାପ ହୋଇଯାଏ ତେବେ ବହୁ ଜୀବନ ଜଳସମାଧି ଲାଭକରିବା ଅସମ୍ଭବ ନୁହେଁ। ବର୍ଷ ବର୍ଷ ଧରି ଚାଲଥିବା ଏହି ଲଞ୍ଚ ଗୁଡିକର ମରାମତି ଦରକାର ପଡିଲେ କାହାଦ୍ୱାରା ମରାମତି କରାଯାଉଛି। ଏଥିସହ ଅଭିଜ୍ଞ ମେକାନିକଙ୍କୁ ମରାମତି ନିମନ୍ତେ ନିଯୁକ୍ତି ଦିଆଯାଇଛି କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡା ଲଞ୍ଚରେ ପ୍ରତିଦିନ ଯେତିକି ପରିମାଣର ଡିଜେଲ ଦରକାର ପଡିଥାଏ ତାହା ଠାରୁ ଅଧିକ ଖର୍ଚ୍ଚ ଦର୍ଶାଯାଇ ହେରଫେର କରାଯାଉଥିବା ନେଇ ଅଭିଯୋଗ ହେଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ବ୍ୟବହୃତ ହେଉଥିବା ଏହି ଲଞ୍ଚର ନିୟମିତ ମରାମତି, ଖର୍ଚ୍ଚ ଇତ୍ୟାଦିର ହିସାବ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଲଞ୍ଚ ବାବଦକୁ ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ସୁବିଧା ଲୋକେ ଉଠାଇ ପାରୁନଥିବା ଅଭିଯୋଗ ହୋଇଛି। ତେବେ ବଡପଦର,ରାଲଗେଡା ଏବଂ ନାକାମାମୁଣ୍ଡି ପଞ୍ଚାୟତକୁ ଲଞ୍ଚ ବ୍ୟବହାର ହେଉଥିଲେ ମଧ୍ୟ ଏହି ପଞ୍ଚାୟତର ଗ୍ରାମ ଗୁଡିକୁ ଯିବାକୁ ହେଲେ ବୁଟବୁଟି (ମଟର ଚାଳିତ ଡଂଗା) ଉପରେ ଲୋକେ ଅଧିକା ପରିମାଣରେ ନିର୍ଭର କରିଥାନ୍ତି।
୨୦୧୪ ମସିହା ଏପ୍ରିଲ ମାସରେ ଚିତ୍ରକୋଣ୍ଡାକୁ ବ୍ଲକ ରୂପେ ରାଜ୍ୟ ସରକାର ଘୋଷଣା କଲେ। ଏହାପରେ ଉପରୋକ୍ତ ସାତୋଟି ପଞ୍ଚୟାତର ଲୋକେ ଏବେ କୁଡୁମୁଲୁଗୁମ୍ମା ବଦଳରେ ଚିତ୍ରକୋଣ୍ଡା ସ୍ଥିତ ବ୍ଲକ କାର୍ଯ୍ୟାଳୟରେ ନିଜର ସମସ୍ତ କାମ କରିପାରୁଛନ୍ତି। କିନ୍ତୁ କିଛି କାର୍ଯ୍ୟ ପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ଆସିଲେ ସେମାନଙ୍କୁ ତିନି ଦିନ ସମୟ ଲାଗୁଛି। ଯଦି କୌଣସି କାରଣରୁ ଗୋଟିଏ ଦିନରେ କାମଟି ସରେ ନାହିଁ ତେବେ ସେମାନଙ୍କୁ ଆଉ ଦିନେ କି ଦୁଇ ଦିନ ମାଲକନଗିରିରେ ଅଟକି ରହିବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ସାମାନ୍ୟ କାମଟିଏ ପାଇଁ ମଧ୍ୟ ସମୟ ନଷ୍ଟ ହେବା ସାଂଗକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ପାଦ ଏହି ଅଂଚଳରେ ପଡୁନଥିବାରୁ ଲୋକେ ବାଧ୍ୟ ହୋଇ ବ୍ଲକ ତଥା ଜିଲ୍ଲା ସଦର ମହକୁମାକୁ ଆସିଥାନ୍ତି। ଗୋଟିଏ ଦିଗରେ ବିପଦ ସଂକୁଳ ଜଳଯାତ୍ରା ସାଂଗକୁ ଅନ୍ୟଦିଗରେ ଅଧିକା ଖର୍ଚ୍ଚାନ୍ତ ଲୋକଙ୍କୁ ଚିନ୍ତାରେ ପକାଉଛି। ଏପରିପ୍ରେକ୍ଷୀରେ ଲୋକଙ୍କ ସୁବିଧାଜନକ ଗମନାଗମନ ପାଇଁ ଆହୁରି ଅଧିକା ସଂଖ୍ୟାରେ ଲଞ୍ଚ ଯୋଗାଇ ଦେବା ନିମନ୍ତେ ଦାବି ହୋଇଛି।

ସମ୍ବନ୍ଧିତ ଖବର