ଗୁଣିଗାରେଡ଼ି ସ‌ନ୍ଦେହରେ ବୃଦ୍ଧଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ହତ୍ୟା କଲେ ଗ୍ରାମବାସୀ

କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୁଣି ଗାରେଡିକୁ ନେଇ ଏବେ ବି ଅନ୍ଧ ବିଶ୍ବାସ ରହିଛି। ବିଶେଷ କରି ଜିଲ୍ଲାର କାଲିମେଳା ଏବଂ ପଡିଆ ବ୍ଲକରେ ଗୁଣିଗାରେଡିକୁ ନେଇ ପ୍ରତିବର୍ଷ ହତ୍ୟା ଘଟଣା ପଦାକୁ ଆସିଥାଏ। ଏବେ ପୁଣି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ କାଲିମେଳା ବ୍ଲକର କାଙ୍ଗରୁକୋଣ୍ଡା ଗ୍ରାମରେ ଘଟିଛି। ଜଣେ ବୃଦ୍ଧକୁ ଗୁଣିଗାରେଡି କରୁଥିବା ନେଇ ସଂଦେହ କରି ଗ୍ରାମବାସୀ ତାକୁ ପିଟି ପିଟି ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କାଙ୍ଗରୁକୋଣ୍ଡା ଗ୍ରାମର ପଦିଆ ମାଡକାମୀ(୬୫) ପୂଜାର୍ଚ୍ଚନା କାର୍ଯ୍ୟ କରନ୍ତି। ସେ ଏହାକୁ ନିଜର ପେଶା ରୂପେ ନେଇଥିଲେ। କିନ୍ତୁ ଗ୍ରାମରେ ଲଗାତାର କିଛି ଦିନ ହେଲା ଗ୍ରାମର ଲୋକ ମରୁଥିଲେ। ଗ୍ରାମବାସୀ ଏନେଇ କେହି ଗୁଣିଗାରେଡି କରୁଥିବା ନେଇ ସଂଦେହ କରୁଥିଲେ। ବାରମ୍ବାର କାହିଁକି ଗ୍ରାମର ଲୋକେ ମରୁଛନ୍ତି ବୋଲି ଗ୍ରାମବାସୀ ନିଜ ନିଜ ମଧ୍ୟରେ ଆଲୋଚନା କରୁଥିଲେ। ଏହାରି ମଧ୍ୟରେ ଗ୍ରାମବାସୀଙ୍କ ସଂଦେହ ପଦିଆ ଉପରେ ପଡିଥିଲା। କାରଣ ସେ ପୂଜାର୍ଚ୍ଚନା କରୁଛି ନା ଗୁଣିଗାରେଡି କରୁଛି। ସେ ନିଶ୍ଚିତ ଭାବେ ଗୁଣିଗାରେଡି କରି ମାରୁଥିବା ଲୋକଙ୍କ ମନରେ ସଂଦେହ ହୋଇଥିଲା। ଗାଁରେ ଜଣେ ବ୍ୟକ୍ତିର ମୃତ୍ୟୁର ଦଶାହ ପାଳନ ହେଉଥିଲା।ପ୍ରାୟ ୬୦ ଲୋକ ଗ୍ରାମରେ ଏକତ୍ର ବସି ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚା କରୁଥିଲେ।

ଆଲୋଚନା ସମୟରେ ହଠାତ୍ ମୁକୁନ୍ଦ ପଡିଆମି, ଫିଦା ମାଡକାମୀ, କାନା ମାଡକାମୀ, ଉର୍ମା ମାଡକାମୀ, ଗଙ୍ଗା ମାଡକାମୀ ପ୍ରମୁଖ ପଦିଆକୁ ହଠାତ ଆକ୍ରମଣ କରିଥିଲେ।ପଦିଆ ହିଁ ଗୁଣିଗାରେଡି କରୁଥିବା କହି ନିସ୍ତୁକ ମାଡ ମାରିଥିଲେ। ପରେ ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ପୁଅ ବିରା ମାଡକାମୀ ଅଭିଯୋଗ କରିଛନ୍ତି। ବାପାଙ୍କୁ ବଞ୍ଚାଇବାକୁ ବିରା ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଓଲଟା ସେ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଗୁରୁତର ଆହତ ହୋଇଥିଲା। ତୁରନ୍ତ ଖବର ପୁଲିସ ନିକଟରେ ପହଞ୍ଚିବା ପରେ କାଲିମେଳା ଆଇଆଇସି ରଘୁନାଥ ମାଝି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଜିଲ୍ଲାରେ ଗୁଣିଗାରେଡିକୁ ନେଇ ହତ୍ୟା ଲାଗି ରହିଥିବା ବେଳେ ପୁଲିସ ଏବଂ ପ୍ରଶାସନ ତରଫରୁ ଏନେଇ ସଚେତନତା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

 

 

ସମ୍ବନ୍ଧିତ ଖବର