ମାଲକାନଗିରି: ନକ୍ସଲ ସଂଗଠନରେ ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା କମିଟିଗୁଡ଼ିକରେ ତାଳମେଳ ରହୁ ନାହିଁ। ପୁଲିସର ଲଗାତାର ଅପରେସନ ଏମାନଙ୍କୁ ଏକତ୍ର କରିବାକୁ ଦେଉ ନାହିଁ। ଆଉ ୮ରୁ ୧୦ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ଏବେ ପରସ୍ପର ସଂପର୍କ ନାହିଁ। କୌଣସି ନିଷ୍ପତ୍ତି ନେବାକୁ ହେଲେ କେନ୍ଦ୍ରୀୟ କମିଟିର ନିର୍ଦେଶ ଜରୁରୀ ଅଟେ। ତେଣୁ ତଳ ଶ୍ରେଣୀ ନକ୍ସଲମାନେ ମନଇଛା ହତ୍ୟା କରି ଚାଲିଛନ୍ତି। ଯେଉଁଥିରେ କି କେନ୍ଦ୍ରୀୟ କମିଟିର କୌଣସି ଭୁମିକା ନାହିଁ। ଗତ ଏକ ମାସରେ ୪ ଜଣ ଶିକ୍ଷାଦୂତକୁ ହତ୍ୟା କରିବା ଘଟଣା କୌଣସି କ୍ୟାଡର ନକ୍ସଲ ଜାଣିନଥିବା ସୂଚନା ମିଳିଛି।
ନକ୍ସଲ ଏକତ୍ର ହୋଇପାରୁନଥିବାରୁ କେନ୍ଦ୍ରୀୟ କମିଟିର ପ୍ରବକ୍ତା ଅଭୟ ଏକ ମାସ ପାଇଁ ଯୁଦ୍ଧ ବିରତି ନିବେଦନ କରିଥିଲା। ଏହି ଏକ ମାସରେ ସେମାନେ ପୁଣି ଏକତ୍ର ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରିବେ ବୋଲି କହିଥିଲେ। ଅର୍ଥାତ ଅସ୍ତ୍ର ବିରତି କରି ରାନୈଦିକ ଚିନ୍ତାଧାରା ଗ୍ରହଣ କରିବେ। ନିର୍ବାଚନ ଲଢିବା ସହ ଲୋକଙ୍କ ସେବା କରିବେ। କିନ୍ତୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଥିଲେ। କିନ୍ତୁ ଏହି ଚିଠିକୁ ତେଲେଙ୍ଗାନା ରାଜ୍ୟ କମିଟି ତରଫରୁ ପ୍ରତ୍ୟାଖାନ କରାଯାଇଛି। ପ୍ରବକ୍ତା ଅଭୟଙ୍କର ଏହା ନିଜ ମତ ବୋଲି ପୁଣି ଏକ ଚିଠି ଜାହିର କରି ସରକାର ଏବଂ ପୁଲିସକୁ ଜଣାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ସଂଗଠନରେ ରାଜ୍ୟ ରାଜ୍ୟ ମଧ୍ୟରେ ଫାଟ ରହିଛି।
ନକ୍ସଲ ଏତେ ସହଜରେ ଅସ୍ତ୍ରବିରତି କିମ୍ବା ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ କରୁଛନ୍ତି। ନକ୍ସଲ ସଂଗଠନରେ ଏହି ଫାଟ ପୁଲିସକୁ ସୁହାଉଛି।
ଆସନ୍ତା ୨୦୨୬ ମାର୍ଚ ସୁଦ୍ଧା ନକ୍ସଲ ମୂଳପୋଛ କରିବା ନେଇ ଯେଉଁ ଟାର୍ଗେଟ ରହିଛି ତାହା ସହଜରେ ପୂରଣ କରାଯାଇପାରିବ ବୋଲି ପୁଲିସ ଆଶା ପ୍ରକଟ କରିଛି। କିନ୍ତୁ ନକ୍ସଲ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଦେବ ନାହଁ ବୋଲି ଜିଦରେ ଅଟଳ ରହିଛି। ପ୍ରତି ଏନକାଉଣ୍ଟରରେ ଜଣେ ଜଣେ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଉଛି। ବର୍ତ୍ତିଯାଇଥିବା କେନ୍ଦ୍ରୀୟ କମିଟି ସଦସ୍ୟମାନେ ଦିନେ ନା ଦିନେ ପୁଲିସ ଗୁଳିର ଶିକାର ହେବେ ବୋଲି କୁହାଯାଇଛି। ଯେଉଁଠି ଲୁଚିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଖୋଜି ବାହାର କରିବ ବୋଲି ଯୁକ୍ତି ବାଢିଛି।
ଲଗାତାର କେନ୍ଦ୍ରୀୟ କମିଟିର ସଦସ୍ୟ ବାସବରାଜୁ, ଉଦୟ, ବାଲକ୍ରୀଷ୍ଣା, ଭାସ୍କରଙ୍କର ମୃତ୍ୟୁ ସଂଗଠନ ବଡ ଝଟକା ଦେଇଛି। ନକ୍ସଲ ସଂଗଠନର ଏହି ଫାଟରେ ପୁଲିଶ ଘିଅ ଢାଳୁଛି। ବଞ୍ଚିଥିବା ସମସ୍ତ କ୍ୟାଡର ନକ୍ସଲଙ୍କର ଫଟୋକୁ ସର୍ବଜନୀନ କରି ଲୋକଙ୍କୁ ଏମାନଙ୍କର ଠିକଣା ଜଣାଇବାକୁ ଅନୁରୋଧ କରିଛି। ସେଥିପାଇଁ ସମସ୍ତ ତଥ୍ୟ ଗୁପ୍ତ ରଖାଯିବ ବୋଲି କହିଛି। ଏଥିସହ ପୁରସ୍କାର ମଧ୍ୟ ରହିଥିବା କହିଛି। ତେଣୁ ନକ୍ସଲ ଏବେ ଚିନ୍ତାରେ। ସବୁ ସ୍ଥାନରେ ନେଟଵର୍କ ବ୍ୟବସ୍ଥା ଥିବାରୁ ନକ୍ସଲ ଗତିବିଧି ସଂପର୍କରେ ଲୋକେ ପୁଲିସକୁ ସହଜରେ ସୂଚନା ଦେଇଦେଉଛନ୍ତି। ତେଣୁ ପୁଲିସ ବି ନିଜର ଟାର୍ଗେଟ ନିକଟତର ହେଉଥିବା ବେଳେ ଏହାକୁ ସଫଳ କରିବାକୁ ସମସ୍ତ ଉଦ୍ୟମ ଜାରି ରଖିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/20/mkg-naxal-sangatha-re-fata-1-2025-09-20-22-42-37.jpg)