ନକ୍ସଲଙ୍କ ସଂପୂର୍ଣ୍ଣ ଭାରତ ବନ୍ଦ:ଜିଲ୍ଲାରେ ହାଇଆଲର୍ଟ, ସୀମା ସିଲ୍‌

ମାଲକାନଗିରି,: ଆସନ୍ତାକାଲି ସଂପୂର୍ଣ୍ଣ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ। କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ବିରୋଧ କରି ସପ୍ତାହେ ହେଲା ନକ୍ସଲ ସମାଧାନ ବିରୋଧୀ ସପ୍ତାହ ପାଳନ କରୁଥିଲେ। ଏହି ସମୟରେ ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡ ସାଙ୍ଗକୁ ପ୍ରଜାମେଳି ବି ନକ୍ସଲ କରିଛନ୍ତି। ବିଶେଷ କରି ମାଲକାନଗିରି ସମେତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଯାନବାହାନକୁ ଟାର୍ଗେଟ କରିଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ ଗୋଟିଏ ଘରୋଇ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ।
ଭାରତ ବନ୍ଦକୁ ଦୃଷ୍ଟିରେ ରଖି ମାଲକାନଗିରି ପୁଲିସ ସୀମାକୁ ସିଲ କରିଦେବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି। ଗତକାଲିର ଘଟଣା ପରେ ପୁଲିସ ସଜାଗ ହୋଇଯାଇଛି। ବିଏସଏଫ ତରଫରୁ ମଧ୍ୟ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି। ଅଚିହ୍ନା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ସହ ଯାନବାହାନକୁ ମଧ୍ୟ ତନାଖି କରାଯାଉଛି। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସବୁ ପ୍ରକାର ବନ୍ଦବସ୍ତ କରାଯାଇଛି। ମାଲକାନଗିରି ଜିଲ୍ଲାକୁ ଯାଉଥିବା ସମସ୍ତ ଘରୋଇ ବସ ଗତକାଲିର ଘଟଣା ପରେ ବନ୍ଦ ହୋଇଯାଇଛି। ସେହିପରି ରାତିରେ କୌଣସି ଯାନବାହାନ ଚଳାଚଳ କରୁନଥିବା ବେଳେ ଦିନ ବେଳା କାଁଭାଁ ହିଁ ଚଳାଚଳ କରୁଛି। ତେବେ ନକ୍ସଲଙ୍କ ଏହି ଭାରତ ବନ୍ଦ ଡାକରା ମାଲକାନଗିରିରେ କି ପ୍ରକାର ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା। ଏହି ସପ୍ତାହ ପୂରିବାକୁ ଗୋଟିଏ ଦିନ ବାକି ରହିଥିବା ବେଳେ ଶେଷ ଦିନରେ କିଛି ଅଘଟଣ ଘଟିବାର ଆଶଙ୍କା କରି ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର