ନକ୍ସଲଙ୍କ ନୂଆ ରଣନୀତି ‘ଭ୍ରମ’:ବନ୍ଧୁକ ଧରି ଜଗିଛନ୍ତି ପାଳ ଭୂତ

ମାଲକାନଗିରି: ନକ୍ସଲଙ୍କୁ ମୂଳପୋଛ କରିବାକୁ ସୀମାନ୍ତ ଛତିଶଗଡ଼ରେ ଅପରେସନ ଜୋରଦାର ହୋଇଛି। ପ୍ରତିଦିନ କୌଣସି ନା’ କୌଣସି ଅଞ୍ଚଳରେ ପୁଲିସ ଚଢ଼ାଉ ଖବର ମିଳୁଛି। ସେହିପରି ବହୁ କ୍ୟାଡର ନକ୍ସଲ ପୁଲିସ ଗୁଳିରେ ନିହତ ହୋଇଥିବା ସୂଚନା ମିଳୁଛି। ଅନ୍ୟପଟେ ଭୟଭୀତ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରୁଛନ୍ତି। ଏଭଳି ସ୍ଥିତିରେ ସ୍ପାଇକ ହୋଲ, ମଟର ସାଇକେଲ ବୋମା, ପ୍ରେସର ବୋମା, ସିରିଞ୍ଜ ବୋମା ବ୍ୟବହାର କରି ପୁଲିସର କ୍ଷତି କରିବାକୁ ବହୁ ଯୋଜନା କରି ସାରିଲାଣି ନକ୍ସଲ ସଂଗଠନ। କିନ୍ତୁ ପ୍ରତ୍ୟେକ ଥର ଯବାନଙ୍କ ସତର୍କତା ଯୋଗୁଁ ଏହି ରଣନୀତି ଫେଲ୍ ମାରିଥିଲା। ତେଣୁ ସୁରକ୍ଷା କର୍ମୀଙ୍କ ଗତିରୋଧ ପାଇଁ ନକ୍ସଲ ଆରମ୍ଭ କରିଛନ୍ତି ନୂଆ ରଣନୀତି। ଭ୍ରମ ସୃଷ୍ଟି କରିବାକୁ ‌ହୋଇଛି ଯୋଜନା।
ସୀମାନ୍ତ ଛତିଶଗଡ଼ର ଦୁର୍ଗମ ଗାଁକୁ ରହିଥିବା ରାସ୍ତାଘାଟରେ ବନ୍ଧୁକ ଧରି ଠିଆ ହୋଇଛନ୍ତି ପାଳ ଭୂତ। ମଣିଷ ଆକୃତିର ଏହି ପାଳ ଭୂତକୁ ପୋଷାକ ପିନ୍ଧା ଯାଇଛି। ଗଛ ଓ ପଥର ଆଢ଼ୁଆଳରେ ଠିଆ କରାଯାଇଛି। କାଠ ଖଣ୍ଡକୁ ବନ୍ଧୁକ ଭଳି ହାତରେ ବାନ୍ଧି ଦିଆଯାଇଛି। ପାଖକୁ ଯାଇ ଭଲ ରୂପେ ନ ଦେଖିବା ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଯେ କେହି ବି ଏହାକୁ ଦେଖିଲେ କହିବ କେହି ଜଣେ ବନ୍ଧୁକ ଧରି ଠିଆ ହୋଇଛି। ଏଭଳି ଭ୍ରମ ସୃଷ୍ଟି ହେବା ଦ୍ବାରା କମ୍ବିଂ ଅପରେସନରେ ଯାଉଥିବା ଯବାନଙ୍କ ଗତି କମିବ। ଏପରିକି ଯବାନମାନେ ଭ୍ରମରେ ପଡ଼ି ଗୁଳି ଚଳାଇବେ। ଗୁଳି ଫୁଟିବାର ଶବ୍ଦ ଦ୍ବାରା ନକ୍ସଲଙ୍କୁ ବହୁ ପୂର୍ବରୁ ହିଁ ଯବାନଙ୍କ ଆଗମନ ସଂପର୍କରେ ଜଣାପଡ଼ିଯିବ। ପାଲଟା ଆକ୍ରମଣ କିମ୍ବା କ୍ୟାମ୍ପ ଛାଡ଼ି ଯିବାକୁ ସମୟ ମିଳିଯିବ।
ସୁକମା ପୁଲିସ ଆଜି ସୁକମା ଏବଂ ଦନ୍ତେଵାଡା ସୀମାନ୍ତ ଜଂଗଲରେ ଏଭଳି ଚାରୋଟି ପାଳ ଭୂତକୁ ଜବତ କରିଛି। ଗତ ଦିନରେ ମାଓ ସଂଗଠନର ମହାସଚିବ ରୂପେ କେଶବ ରାଓ ଦାୟିତ୍ବ ନେବା ପରେ ଏଭଳି ରଣନୀତି ପ୍ରସ୍ତୁତ ହୋଇଥାଇ ପାରେ ବୋଲି କୁହାଯାଉଛି। କାରଣ କେଶବ ଏଭଳି ରଣନୀତିରେ ସିଦ୍ଧହସ୍ତ। ଉନ୍ନତ ଧରଣର ଲ୍ୟାଣ୍ଡମାଇନ ଖଂଜିବା ସହ ନୂଆ ନୂଆ ରଣକୌଶଳ ତିଆରି କରିବାରେ ସେ ବିଶେଷଜ୍ଞ। ତେଣୁ ନକ୍ସଲଙ୍କର ଏଭଳି ନୂଆ କାରନାମାକୁ ଦେଖି ପୁଲିସ ଚକିତ ହୋଇଯାଇଛି। ଆଜି ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଭ୍ରମରେ ପଡ଼ି ଏହି ପାଳ ଭୂତ ଉପରେ ଗୁଳି ଚଳାଇଥିଲେ। କିନ୍ତୁ ସେପଟୁ କୌଣସି ଗୁଳି ବର୍ଷଣ ନହେବା ପରେ ଯବାନ ବହୁ ସତର୍କତାର ସହ ଏହି ପାଳଭୂତ ନିକଟରେ ପହଞ୍ଚିଥିଲେ। ଏହାକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ନକ୍ସଲ କେବଳ ଯବାନଙ୍କ ଯୋଜନାକୁ ପଣ୍ଡ କରିବା ସହ ଭ୍ରମ ସୃଷ୍ଟି କରିବା ପାଇଁ ଏଭଳି କରିଛନ୍ତି। ଚାଷୀ ଜମିରେ ଏମିତି ପାଳ ଭୂତ ଦ୍ବାରା ପକ୍ଷୀଙ୍କ ଠାରୁ ଚାଷକୁ ରକ୍ଷା କରିନନ୍ତି। ଯାହାକୁ ନକ୍ସଲ ଏବେ ଆପଣାଇଛନ୍ତି।

ସମ୍ବନ୍ଧିତ ଖବର