ଚିତ୍ରକୋଣ୍ଡାରେ ପୁଣି ଲାଗିଲା ନକ୍ସଲ ବ୍ୟାନର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ମହକୁମାର ତିନି କୋଣିଆ ଛକରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି। କାର୍ଲମାର୍କ୍ସଙ୍କ ଜନ୍ମଦିନ ପାଳନ ନେଇ ଆହ୍ଵାନ କରିଛନ୍ତି। ପ୍ରତ୍ୟେକ ଗ୍ରାମରେ ଲୋକେ ଏକତ୍ରିତ ହୋଇ ଏହି ଜନ୍ମ ଦିବସ ପାଳନ କରନ୍ତୁ ବୋଲି ନକ୍ସଲ ଆହ୍ଵାନ କରିଛନ୍ତି। ପୁଣି ବ୍ୟାନର ଗୁଡିକରେ ଉଲ୍ଲେଖ କରାଯାଇଛି ଯେ କାର୍ଲମାର୍କ୍ସଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଊର୍ଧ୍ୱରେ ତୋଳି ଧରିବା। କାର୍ଲମାର୍କ୍ସଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଲାଗୁ କରିବା ସହ ସମସମାଜ ପ୍ରତିଷ୍ଠା ପାଇଁ ଲଢିବା। କାର୍ଲମାର୍କ୍ସଙ୍କ ଚିନ୍ତାଧାରା ନିର୍ଜୀବ ନୁହେଁ। ତାଂକର ଜୀବିତ ଚିନ୍ତାଧାରା। ମାର୍କ୍ସବାଦ ପିଡିବାଦ ଏକ ଅସାଧାରଣ ସମସ୍ୟାର ବୈଜ୍ଞାନିକ ସମାଧାନ ବୋଲି ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ନକ୍ସଲ ଏହି ଦିବସକୁ ଜୋରଦାର ପାଳନ କରିବା ନେଇ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ ଏହି ଦିବସ ପାଳନରେ ଯୋଗ ଦେବା ପାଇଁ ଆହ୍ଵାନ କରିଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଛତିଶଗଡ ସୀମାନ୍ତରେ ପୁଲିସ ବାରମ୍ବାର ଏନକାଉଣ୍ଟର ଯୋଗୁଁ ମାଲକାନଗିରିରେ ନକ୍ସଲ ନିଜର ପତିଆରା ଜାହିର କରିବା ପାଇଁ ଏବେ ଚିତ୍ରକୋଣ୍ଡା ପହଞ୍ଚିଛନ୍ତି। ଲୋକେ ବ୍ୟାନର ଦେଖି ଭୟଭୀତ ହୋଇପଡିଛନ୍ତି। ଦୀର୍ଘ ଦିନ ପରେ ପୁଣି ଚିତ୍ରକୋଣ୍ଡାରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। ସେହିପରି ଲୋକେ ନକ୍ସଲ ଭୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ନକ୍ସଲ ଜବରଦସ୍ତ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବାଧ୍ୟ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର