ମାଲକାନଗିରି: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ସହିଦ ସପ୍ତାହ। ମାଲକାନଗିରି ଜିଲ୍ଲାରେ ପୁଲିସ ତରଫରୁ ହାଇଅଲର୍ଟ ଜାରି କରାଯାଇଛି। ସୀମାନ୍ତରେ ଡିଭିଏଫ,ଏସଓଜି ଯବାନ ସର୍ଚ୍ଚ ଅପରେସନ କରୁଛନ୍ତି। ଏଥିସହ ଜିଲ୍ଲାରେ ରହିଥିବା ପ୍ରାୟ ୩୦ଟି ବିଏସଏଫ କମ୍ପାନି ମଧ୍ୟ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ସହ କୁମ୍ବିଂକୁ ଜୋରଦାର କରୁଛନ୍ତି। ନକ୍ସଲ ଯେପରି କୌଣସି ଗାଁରେ ସହିଦ ଦିବସ ପାଳନ ନକରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସେହିପରି ଗୁଇନ୍ଦାକୁ ମଧ୍ୟ ଅଲର୍ଟ କରାଯାଇଛି। କୌଣସି ସୂଚନା ପାଇବା ସଂଗେ ସଂଗେ ଯବାନ ସେହି ଅଂଚଳକୁ ଗସ୍ତ କରିବେ ବୋଲି କୁହାଯାଇଛି। ସୀମାନ୍ତ ଆନ୍ଧ୍ରପ୍ରଦେଶର ଗାଁଗୁଡିକରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ସହିଦ ଦିବସ ପାଳନ କରିବାକୁ ଆହ୍ବାନ କରିଛନ୍ତି।

Advertisment

ପୋଷ୍ଟରରେ ଗାଁ ଗାଁରେ ସହିଦଙ୍କ ସ୍ମୃତିଚାରଣ କରିବାକୁ ଆହ୍ବାନ କରାଯାଇଛି। ସରକାର ଯେତେ ଦମନ କଲେ ମଧ୍ୟ ସଂଗଠନ ମରିବ ନାହିଁ ବୋଲି ନକ୍ସଲ ନେତା କହୁଛନ୍ତି। ଆଜି ବି ନକ୍ସଲ ପାର୍ଟି ବଞ୍ଚିଛି ଓ ଆଗକୁ ମଧ୍ୟ ବଞ୍ଚିଥିବ ବୋଲି କୁହାଯାଇଛି। ଯାହାକୁ ନେଇ ପୁଲିସ ଆହୁରି ତତ୍ପରତା ଦେଖାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲ ହଟିବା ନେଇ ଯେଉଁ ଶେଷ ସମୟ ଧାର୍ଯ୍ୟ କରିଛନ୍ତି ସେଥିପାଇଁ ପୁଲିସ ଦିନରାତି ଏକ କରି ନକ୍ସଲ ଦମନକୁ ଆହୁରି ତୀବ୍ରତର କରିଛି।

ସୀମାନ୍ତ ଛତିଶଗଡରେ ଡିଆରଜି,ଏସଟିଏଫ,ସିଆରପିଏଫ,କୋବ୍ରା,ବିଏସଏଫ ଯବାନ ସମସ୍ତ ବସ୍ତର ଏବଂ ନକ୍ସଲ ପ୍ରଭାବିତ ଅଂଚଳକୁ ଘେରି ରହିଛନ୍ତି। ଦନ୍ତେଵାଡା ଅଂଚଳରେ ନକ୍ସଲ ନିର୍ମାଣ କରିଥିବା ସହିଦସ୍ତମ୍ଭକୁ ଯବାନ ଧ୍ବଂସ କରିଛନ୍ତି। ଲଗାତାର ଅପରେସନରେ ନକ୍ସଲ ଭୟଭିତ ହୋଇ ସଂଗଠନ ଛାଡୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟଦିଗରେ ଏନକାଉଣ୍ଟରରେ ମଧ୍ୟ ନକ୍ସଲ ମୃତ୍ୟୁ ଜାରି ରହିଛି। ଆଉ ୭ ମାସ ମଧ୍ୟରେ ନକ୍ସଲ ନିଶ୍ଚିତ ଭାବେ ଦମନ ହେବେ ବୋଲି ପୁଲିସ ଯୁକ୍ତି ବାଢିଛି। ଯେଉଁମାନେ ବି ସଂଗଠନରେ ରହି ନିର୍ଯାତିତ ହେଉଛନ୍ତି ତୁରନ୍ତ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି। ପ୍ରଥମ ଦିନରେ ସେଭଳି କୌଣସି ଅଘଟଣ ଘଟିନଥିବା ଦେଖିବାକୁ ମିଳିଛି। ନକ୍ସଲ ମଧ୍ୟ ଦୁର୍ଗମ ଗାଁରେ ସହିଦ ଦିବସ ପାଳନ ପାଇଁ ଜୋରସୋରରେ ପ୍ରୟାସ କରୁଥିବା ସୂଚନା ମିଳିଛି। ତେବେ ପୁଲିସ କିପରି ସହିଦ ଦିବସକୁ ଭଣ୍ଡୁରୁ କରୁଛି ତାହା ଦେଖିବାକୁ ବାକି ରହିଲା।