ମାଲକାନଗିରି: ମାଓବାଦୀ ସଂପୂର୍ଣ୍ଣ ହଟିବା ପରେ ଏବେ ସୀମାନ୍ତ ଛତିଶଗଡରେ କେନ୍ଦ୍ର ସରକାର ନକ୍ସଲ ଦମନ ନେଇ ସବୁ ବଳ ଓ ଅର୍ଥ ଲଗାଇ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ଛତିଶଗଡରୁ ନକ୍ସଲଙ୍କୁ ହଟାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନ ଏବେ ଦିନରାତି ଏକ କରିଦେଇଛନ୍ତି।

Advertisment

୨୦୨୪ ମସିହାରେ ନକ୍ସଲ ଦମନରେ ପୁଲିସ ସବୁଠାରୁ ବଡ ସଫଳତା ପାଇଥିଲା। ୮ ଶହରୁ ଊର୍ଦ୍ଧ୍ବ ନକ୍ସଲ ମୁଖ୍ୟସ୍ରୋତରେ ସାମିର ହୋଇଥିବା ବେଳେ ୫ ଶହରୁ ଊର୍ଦ୍ଧ୍ବ ନକ୍ସଲ ଗିରଫ ଏବଂ ୨୫୦ ନକ୍ସଲ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ଏତେ ସଫଳତା ପାଇବା ପରେ ମଧ୍ୟ ନକ୍ସଲଙ୍କର ଗଡ ଭୁଶୁଡ଼ିନଥିବା ବେଳେ ସେମାନଙ୍କ ସଂଗଠନ ଦୁର୍ବଳ ହୋଇନଥିବା ନକ୍ସଲ ଦର୍ଶାଇଛନ୍ତି।

ତେବେ ନକ୍ସଲଙ୍କ ରାଜଧାନୀ କୁହାଯାଉଥିବା ଆବୁଝମାଡ଼ ଜଂଗଲରେ ଏବେ ଯବାନ ପଶିବେ। ନୂଆବର୍ଷରେ ନୂଆ ରଣନୀତି ପ୍ରସ୍ତୁତ କରିଛି ପୁଲିସ। ଏଥର ଶେଷ ଲଢେଇ ହେବ ବୋଲି ଆଇଜି ଅପରେସନ ସୁନ୍ଦରରାଦ ପି ପ୍ରକାଶ କରିଛନ୍ତି। ନୂଆ ରଣନୀତି ନେଇ କୌଣସି ସୂଚନା ଦେଇନଥିଲେ ମଧ୍ୟ ନୂଆ ବର୍ଷରେ ଜୋରଦାର ଚଢାଉ ହେବ। ଆବୁଝମାଡକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇ ନକ୍ସଲଙ୍କୁ ସେଠାରେ ତଡାଯିବ। ରାଜ୍ୟରେ ନକ୍ସଲ ଯେଭଳି କୌଣସି ଅଘଟଣ ନଘାଟନ୍ତି ସେଥିପ୍ରତି ତୀକ୍ଷଣ ଦୃଷ୍ଟି କରାଯାଇଥିବା କୁହାଯାଇଛି।

ସେହିପରି ଗୁଇନ୍ଦାକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି। ନୂଆବର୍ଷରେ ନକ୍ସଲ ନିଶ୍ଚୟ ନୂଆ ଢଙ୍ଗରେ ଆକ୍ରମଣ କରିପାରନ୍ତି। ତେଣୁ ଯବାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ସୂଚନା ମୁତାବକ ରାଜ୍ୟରେ ମାତ୍ର ୨୦୦୦ ନକ୍ସଲ ରହିଥିବା ବେଳେ ୫୦ ହଜାର ଯବାନ ଏହି ଲଢେଇରେ ସାମିଲ ହେବେ ବୋଲି ଜଣାପଡିଛି। ଯାହା ଶେଷ ଲଢେଇ ହେବା ସହ ନିର୍ଣ୍ଣାୟକ ହେବ। ଏଥିପାଇଁ ସାଧାରଣ ଜନତାଙ୍କୁ ପୁଲିସ ସହଯୋଗ କାମନା କରିଛି। ଆବୁଝମାଡ ନକ୍ସଲଙ୍କର ଗଡ ସହ ରାଜଧାନୀ ଅଟେ। ଏଠାରେ କେନ୍ଦ୍ରୀୟ କମିଟିର ସଦସ୍ୟ ସମେତ ସବୁ ବଡ ବଡ ନକ୍ସଲ ଏଠାରେ ଲୁଚି ରହିଛନ୍ତି। ଏହାକୁ ପୁଲିସ ଅକ୍ତିଆର କରିବା ପରେ ନକ୍ସଲ ବାଧ୍ୟ ହୋଇ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି ପୁଲିସ ଚିନ୍ତା କରିଛି। ତେବେ ନୂଆ ବର୍ଷରେ ପୁଲିସ କେତେ ସଫଳତା ହାସଲ କରୁଛି ଏବଂ ନକ୍ସଲ ମଧ୍ୟ ପୁଲିସ ଗୁଳିର କେତେ ସାମ୍ନା କରିପାରୁଛି ଦେଖିବାକୁ ବାକି ରହିଲା।