ମାଲକାନଗିରି ପୁଲିସକୁ ବଡ଼ ସଫଳତା, ସ୍ବାଭିମାନ ଅଂଚଳର ତୋଟାଗୁଡାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ, ଏକେ-୪୭ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ସ୍ବାଭିମାନ ଅଂଚଳକୁ ନକ୍ସଲ ମୁକ୍ତ କରିବା ପାଇଁ ଉଠାଇଥିବା ଦାୟିତ୍ବକୁ ଧୀରେ ଧୀରେ ପୂରଣ କରିବାକୁ ଯାଉଛି ମାଲକାନଗିରି ପୁଲିସ । ଆଜି  ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲ ଦଳ ଉପରେ ପୁଲିସର ଅତର୍କିତ ଚଢଉ ଫଳରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି ।

ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଏବେ ବି  ଗୁଳି ବିନିମୟ ଚାଲିଛି । ତେବେ ଘଟଣା ସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର ଶବ ଜବତ କରାଯାଇଛି ।ଏହି ନକ୍ସଲକୁ ଚିହ୍ନଟ କରାଯାଇଛି। ମାଓ କମାଣ୍ଡର କିଶୋର ବୋଲୁ ପୁଲିସ କହିଛି । ତେବେ ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି।

ପ୍ରକାଶ ଥାଉକି ମାଓବାଦୀ ପାର୍ଟିର ମିଲିଟ୍ରି ପ୍ଲାଟୁନର ସଦସ୍ୟମାନେ ଜଂଗଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲୁଥାନ୍ତି । ସଂଗଠନର ଯେତେବେଳେ ଏମାନଙ୍କୁ ଦରକାର ପଡେ ସେତେବେଳେ ଏମାନେ ଏମାନଙ୍କର ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି । ତେବେ ଗୁଇନ୍ଦା ସୂତ୍ରରୁ ଏମାନଙ୍କର ବୁଲିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା।ଯାହାଫଳରେ ପୁଲିସ ଏହି ଅଂଚଳକୁ ଘେରାଉ କରିଥିଲା । ତେବେ ବହୁ ନକ୍ସଲ ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ପୁଲିସ ନକ୍ସଲ ପିଛା କରି ଗୁଳି ଚଳାଉଥିବା ଜଣାପଡିଛି । ବର୍ତ୍ତମାନ ଗୁଳିବିନିମୟ ଚାଲୁଥିବାରୁ ଏସପି ରିଶିକେଷ ଖିଲାରି କୌଣସି ସବିଶେଷ ବିବରଣୀ ପ୍ରଦାନ କରିହେବ ନାହିଁ ବୋଲି କହିଥିଲେ । ତେବେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା କହିଥିଲେ । ସ୍ବାଭିମାନ ଅଂଚଳକୁ ସୁରକ୍ଷାକର୍ମୀ ଧିରେ ଧିରେ ନିଜ କବଜାକୁ ନେଉଥିବା ବେଳେ ନକ୍ସଲ ସଂଗଠନ ଦୁର୍ବଳ ପଡ଼ିଯାଇଛି । ଏବେ ବି ବହୁ ଅଂଚଳକୁ ନିଜ କବଜାକୁ ନେଇ ନକ୍ସଲ ନିଜର ପତିଆରା ଦେଖାଉଛନ୍ତି। ତେବେ ପୁଲିସ ଏହି ଅଂଚଳକୁ ମଧ୍ୟ ନିଜ କବଜାକୁ ନେବ ବୋଲି କହିଛି।ଲୋକଙ୍କୁ ନକ୍ସଲ ଦାଉରୁ ରକ୍ଷା କରିବା ପାଇଁ ଅଣ୍ଟାଭିଡିଛି । ତେବେ ଆଗାମୀ କିଛି ବର୍ଷ ଭିତରେ ସ୍ବାଭିମାନ ଅଂଚଳରୁ ନକ୍ସଲ ମୂଳପୋଛ ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର