ମାଲକାନଗିରି: ଆଜି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ମଣ୍ଡିର ଶୁଭ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ. ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀଙ୍କୁ କୃଷିମନ୍ତ୍ରୀ ଏଫଏକ୍ୟୁ ଧାନ ମଣ୍ଡିକୁ ଆଣିବା ପାଇଁ ଅନୁରୋଧ କରିଥିଲେ। ସରକାର ଏଥିପାଇଁ ୩୧୦୦ ଟଂକା କ୍ବିଣ୍ଟାଲ ପିଛା ଧାନ ଦେବାକୁ ଯାହା ପ୍ରତିଶ୍ରୁତି କରିଥିଲେ ତାହା ପ୍ରଦାନ କରିବେ।୨୩୦୦ ଟଂକା ଧାନର ମୂଲ୍ୟ ଏବଂ ୮୦୦ ଟଂକା ଇନପୁଟ ଆସିଷ୍ଟାଣ୍ଟ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ଯେଉଁମାନେ ଏଫଏକ୍ୟୁ ଧାନ ଆଣିନାହାନ୍ତି ସେମାନେ ଧାନକୁ ଶୁଖାଇ ତାକୁ ବଛା କରି ମଣ୍ଡିକୁ ଆଣିବାକୁ ଅନୁରୋଧ କରିଥିଲେ। ଆଜି ମାଲକାନଗିରି ମଣ୍ଡିରେ ପ୍ରାୟ ୧୬ ଜଣ ଚାଷୀ ନିଜର ଧାନ ଆଣିଥିଲେ।
ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କର ଏଫଏକ୍ୟୁ ଧାନ ରହିଥିବାରୁ ସେହି ଧାନକୁ ସଂପୃକ୍ତ ବିଭାଗ ଖରିଦ କରିବା ପାଇଁ ରାଜି ହେବା ପରେ ଅନ୍ୟ ଧାନ ଖରିଦ କରାଯାଇପାରିବ ନାହିଁ ବୋଲି କହିବା ପରେ କିଛି ସମୟ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଧାନ ବିକିଲେ ସମସ୍ତ ଚାଷୀ ବିକିବେ,ନଚେତ କେହି ବିକ୍ରି କରିପାରିବେ ନାହିଁ ବୋଲି ଚାଷୀମାନେ ସଫା ସଫା ବିଭାଗକୁ କହିଥିଲେ। ତେବେ ଆଜି ପ୍ରଥମ ଦିନରେ ଏକ କିଲୋ ବି ଧାନ ଖରିଦ ହୋଇନଥିବା ଜଣାପଡିଛି। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ମଦନ ମୋହନ ପଟନାୟକଙ୍କୁ ପଚାରିବାରୁ ସେ କୌଣସି ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନଥିବା କହିଥିଲେ। କିନ୍ତୁ ଅନ୍ୟଦିଗରେ ଆଜି ମଣ୍ଡିରେ ଉତ୍ତେଜନା ହେବା ସହ ଧାନ ବିକ୍ରି କିମ୍ବା ଖରିଦ କରାଯାଇନଥିବା ଦେଖିବାକୁ ମିଳିଥିଲା। ତେବେ ଆଗକୁ ଜିଲ୍ଲାରେ ଧାନ କିଣା ନେଇ ବହୁ ଝାମେଲା ସୃଷ୍ଟି ହେବ ବୋଲି ଆଜିର ମଣ୍ଡିର ଦୃଶ୍ୟରେ ସ୍ପଷ୍ଟ ଜଣାପଡୁଥିଲା। ତୁରନ୍ତ ପ୍ରଶାସନ ଏଦିଗରେ ହସ୍ତକ୍ଷେପ ନକଲେ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି।
ଯେଉଁମାନେ ମଣ୍ଡିକୁ ଧାନ ଗାଡି ଖର୍ଚ୍ଚ କରି ଆଣିଛନ୍ତି ଏବଂ ସେମାନେ ଏବେ ପୁଣି ଘରକୁ ନେଇ ତାକୁ ଶୁଖାଇବା ସହ ବଛାବଛି କରି ଆଣିବାରେ ଆହୁରି ଅଧିକା ଖର୍ଚ୍ଚ ହୋଇଯିବ। ତେବେ ଏହି ଖର୍ଚ୍ଚ କିଏ ଭରଣ କରିବ ବୋଲି ଚାଷୀ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ସିନା କହିଦେଇ ଗଲେ କିନ୍ତୁ ଚାଷୀଙ୍କର ପ୍ରକୃତ କଷ୍ଟ କିଏ ବୁଝିବ ବୋଲି ଚାଷୀ ପ୍ରଶ୍ନ କରିଥିଲେ। ସବୁ ଚାଷୀ ଏଫଏକ୍ୟୁ ଧାନ ଆଣିପାରିବେ ନାହିଁ ବୋଲି କୁହାଯାଇଛି। ତେଣୁ ତାହା କିପରି ଖରିଦ ହେବ ତାକୁ ନେଇ ଅଡୁଆରେ ବିଭାଗ ଏବଂ ଚାଷୀ। ଅନ୍ୟ ଦିଗରେ ଦଲାଲମାନେ ଏବେ ଜିଲ୍ଲାରେ ସକ୍ରିୟ ଥିବାରୁ ଏହାର ଫାଇଦା ଉଠାଇବାକୁ ସେମାନେ ଜଗି ରହିଥିବା ଜଣାପଡିଛି। ବିଭାଗ ଏବଂ ଚାଷୀଙ୍କ ଗଣ୍ଡଗୋଳର ଫାଇଦା ସେମାନେ ଉଠାଇବେ। ତେଣୁ ଚାଷୀ ଉଚିତ ମୂଲ୍ୟ ପାଇବା ପାଇଁ ଦାବି ଉଠିଛି।