ଗୋବିନ୍ଦପାଲ୍ଲୀ: ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ବାରମ୍ବାର ଦେଖିବାକୁ ପଡୁଛି। କେଉଁଠି ରାସ୍ତା ନଘିବାରୁ ଆମ୍ବୁଲାନ୍ସ ଯାଇ ପାରୁନି ତ କେଉଁଠି ନଦୀ ନାଳ ଉପରେ ପୋଲ ନଥିବାରୁ ଗୁରୁତର ରୋଗୀକୁ ଖଟିଆରେ ବୁହା ହେବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ପାଖରେ ମୌଳିକ ସମସ୍ୟା ଭିତରେ ସ୍ୱାସ୍ଥ୍ୟ ହେଉଛି ଗୋଟେ ଗୁରୁତ୍ୱ ପୂର୍ଣ୍ଣ ସମସ୍ୟା। ଆଜି ବି ଯଦି ସ୍ୱାସ୍ଥ୍ୟ ଖରାପ ହେଉଛି ରାସ୍ତା ଖରାପ ପାଇଁ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଲୋକେ ବାଧ୍ୟ ହୋଇ ରୋଗୀର ଜୀବନ ବଞ୍ଚେଇବା ପାଇଁ ଖଟିଆରେ ରୋଗୀକୁ ବୋହି ଆଣି ଡାକ୍ତରଖାନାରେ ପହଞ୍ଚି ରୋଗୀର ଚିକିତ୍ସା କରିବା ଦେଖିବାକୁ ମିଳୁଛି।
ଏପରି ବିକଳ ଚିତ୍ର ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ଗ୍ରାମରେ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋବିନ୍ଦପାଲ୍ଲୀ ନିକଟ ନୂଆଗୁଡ଼ ଗ୍ରାମକୁ ଯିବା ପାଇଁ ରାସ୍ତା ଖରାପ ଥିବାରୁ ସେହି ଗାଁକୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ଶେଷରେ ରୋଗୀର ସମ୍ପର୍କୀୟମାନେ ଖଟିଆରେ ବୋହି ବୋହି ନୂଆ ଗୁଡାଠାରୁ ଗୋବିନ୍ଦପାଲ୍ଲୀ ବଜାର ଦେଇ ଗୋବିନ୍ଦପାଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଅନ୍ୟ ଏକ ଦିଗରେ ଦେଖିବାକୁ ଗଲେ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ବାର ଗୋବିନ୍ଦପାଲ୍ଲୀ ଦେଇ ଜିଲ୍ଲାର ବଡ଼ ବଡ଼ ଅଧିକାରୀଙ୍କ ଠାରୁ ଆରମ୍ଭ କରି କେତେ ନେତା ମନ୍ତ୍ରୀ ମାନେ ଯିବା ଆସିବା କରନ୍ତି। କିନ୍ତୁ ଆଜିର ଏହି ଦୃଶ୍ୟଟି ସମସ୍ତଙ୍କୁ ବିଚଳିତ କରିଛି ଓ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କିପରି ଚାଲୁଥିବ ତାହା ସାଧାରଣ ରେ ସମାଲୋଚନା ହେଉଛି।
ବର୍ତ୍ତମାନ କେଇ ଦିନ ପର୍ବରୁ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଏପରି ଦୃଶ୍ୟକୁ ଓଡ଼ିଆ ଚଳଚ୍ଚିତ୍ର ଦମନ ସିନେମାରେ ଦେଖିବାକୁ ମିଳିଥିବା ବେଳେ ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି କିନ୍ତୁ ଆଜି ଗୋବିନ୍ଦପାଲ୍ଲୀ ପରି ଅଂଚଳରେ ଏପରି ବିକଳ ଚିତ୍ର ଦେଖି ଲୋକେ ଜିଲ୍ଲା ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାରେ କେବେ ସ୍ୱାସ୍ଥ୍ୟ ସେବା ପରି ଗୁରୁତ୍ୱପୂର୍ଣ୍ଣ ସେବାର ସ୍ଥିତି ବଦଳୁଛି।