ସ୍ବାଭିମାନ ଅଂଚଳରେ ପିସିସି କାର୍ଯ୍ୟକାରୀ ସଭାପତି: ଲୋକ ପ୍ରତିନିଧି ନଥିବାରୁ ଅଫିସରମାନେ ଲୁଟ କରିଚାଲିଛନ୍ତି

ସ୍ବଚ୍ଛ ଭାରତ ମିଶନ ଓ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଛି

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ଗସ୍ତ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଶ୍ରୀ ମାଝିଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମାଝି ସ୍ବାଭିମାନ ଅଂଚଳର ୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଚିତ୍ରକୋଣ୍ଡା ବ୍ଲକରେ ସରକାର ନିର୍ବାଚନ ନକରାଇ ଅଫିସରମାନଙ୍କୁ ଲୁଟ କରିବାକୁ ଛାଡି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଲୋକ ପ୍ରତିନିଧି ନଥିବାରୁ ଲୋକଙ୍କର ସମସ୍ୟା ସମାଧାନ ହୋଇପାରୁନାହିଁ। ଯାହାର ଫାଇଦା ଉଠାଉଛନ୍ତି ସରକାରୀ ବାବୁମାନେ। ସ୍ବଚ୍ଛ ଭାରତ ମିଶନରେ ଜିଲ୍ଲାରେ ୧୪୧ କୋଟି ଟଂକାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ସ୍ବାଭିମାନ ଅଂଚଳରେ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଟଂକା ଲୁଟ ହୋଇଥିବା କହିଥିଲେ।

ଏଠାରେ ସ୍ବଚ୍ଛ ଭାରତ ମିଶନ ଏକ ପ୍ରକାର ଫେଲ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିଥିଲେ। ରାଜ୍ୟରେ ଏଭଳି ଅଂଚଳ ଯେଉଁଠାରେ ଶୌଚାଳୟ ତିଆରି କରାଯାଇଛି ସିନା ସେଠାରେ ପ୍ୟାନ ଓ ଟ୍ୟାଙ୍କ ନାହିଁ। ପୁଣି ଏଠାରେ ୧୫ ହଜାର ଟଂକାରେ ଶୌଚାଳୟ ନିର୍ମାଣ କରାଯାଇଥିବା କୁହାଯାଇଛି। ଅନ୍ୟ ସ୍ଥାନରେ ୧୨ ହଜାର ଟଂକା ଖର୍ଚ୍ଚ ହେଉଥିବା ବେଳେ ଏଠାରେ ତିନି ହଜାର ଅଧିକା ଟଂକା ଦିଆଯାଇଥିଲେ ମଧ୍ୟ ଏହାକୁ ଠିକ ଭାବେ ନକରି ସବୁ ଟଂକା ଆତ୍ମସାତ କରିଥିବା କୁହାଯାଇଛି। ନିମ୍ନମାନର ରାସ୍ତା କାମକୁ ନେଇ ମଧ୍ୟ ଶ୍ରୀ ମାଝି ବିଶଦଗାର ଜଣାଇଥିଲେ। ଏଠାରେ କିପରି ଟଂକାକୁ ହରିଲୁଟ କରାଯାଇଛି ତାହାର ନଗ୍ନ ନମୂନା ଏଠାରେ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ। ଲୋକଙ୍କ ସହ କଥାବାର୍ତ୍ତା ହେଲା ବେଳେ ସେମାନେ ଏଠାରେ ହେଉଥିବା ନିମ୍ନମାନର କାମକୁ ଶ୍ରୀ  ମାଝିଙ୍କ ଆଗରେ ରଖିଥିଲେ।

ତେବେ ଏଥିରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କର ସିଧା ହାତ ରହିଥିବା ଶ୍ରୀ ମାଝି ଅଭିଯୋଗ କରିଥିଲେ। ସରକାର ସ୍ବାଭିମାନ ଅଂଚଳରେ ଯେତିକି ବିକାଶ କଥା କହୁଛନ୍ତି ସେତିକି ହୋଇ ନାହିଁ। ଏଠାରେ ବିକାଶ କହିଲେ ବିଏସଏଫ ଓ ପୁଲିସକୁ ବୁଝାଏ। ସ୍ବାଭିମାନ ଅଂଚଳକୁ କୌଣସି ଅଫିସର ଆସୁନଥିବାରୁ କାମ ଅତି ନିମ୍ନମାନର ହେଉଥିବା କହିଥିଲେ। ମାତ୍ର ୩୦ କୋଟି ଟଂକାରେ ସବୁ କାମ ସାରିଦେବାକୁ ଚେଷ୍ଟା କରାଯାଉଛି। କିନ୍ତୁ ପ୍ରକୃତରେ ସରକାର ଏଠାରେ ୧୧୬ କୋଟି ଟଂକା ଖର୍ଚ୍ଚ ପାଇଁ ପ୍ରଦାନ କରିଛନ୍ତି। ସ୍ବାଭିମାନ ଅଂଚଳର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ସରକାର ଯେଉଁ ପ୍ରୟାସ କରିଛନ୍ତି।

ତାହା ବିଫଳ ହୋଇଛି ବୋଲି ଶ୍ରୀ ମାଝି ଅଭିଯୋଗ କରିଥିଲେ। ସ୍ବାଭିମାନ ଅଂଚଳରେ ହୋଇଥିବା ଲୁଟପାଟର ପର୍ଦାଫାସ କରିବୁ ବୋଲି ସେ କହିଥିଲେ। ଯଦି ତୁରନ୍ତ ଏହି ଦୁର୍ନୀତିରେ ଜଡିତ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେ କହିଥିଲେ। ସରକାରଙ୍କର କୁମ୍ଭୀର କାନ୍ଦଣାକୁ ଆମେ ପର୍ଦାଫାସ କରିବୁ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ। ତେବେ କଂଗ୍ରେସ ଆଗାମୀ ଦିନରେ ସ୍ବାଭିମାନ ଅଂଚଳରେ ହୋଇଥିବା କୋଟି କୋଟି ଟଂକାର ଦୁର୍ନୀତିକୁ କିପରି ପର୍ଦାଫାସ କରୁଛି ଦେଖିବାକୁ ବାକିରହିଲା।

ସମ୍ବନ୍ଧିତ ଖବର