ମାଲକାନଗିରି : ମାଓ ହିଂସା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସ୍ବାଭିମାନ ଅଞ୍ଚଳବାସୀ

ପୁଲିସକୁ ସୂଚନା ନ ଦେବାକୁ ଅଞ୍ଚଳବାସୀଙ୍କୁ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି  ମାଓ ବିରୋଧୀ ସ୍ବର ଉଠିଛି । ଏଥର ଗୋଟିଏ କି ଦୁଇଟି ନୁହେଁ ୧୦ ରୁ ଅଧିକ ଗ୍ରାମର ଲୋକମାନେ ମିଳିତ ହୋଇ ମାଓବାଦୀଙ୍କୁ ବିରୋଧ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଖଜୁରୀଗୁଡା ଠାରେ ମାଓବାଦୀଙ୍କୁ ବିରୋଧ କରି ହଜାର ହଜାର ଲୋକେ ଏକତ୍ରିତ ହୋଇଥିଲେ । ମାଓବାଦୀ ମାନେ ୨୦ ତାରିଖ ରାତିରେ ଉକ୍ତ ଗ୍ରାମର ଦାସ ଖେମୁଡୁକୁ ପୋଲିସ ଇନଫର୍ମର କହି ଗୁଳି କରି ହତ୍ୟା କରିବା ପରେ ସମଗ୍ର ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସ୍ୱର ଉଠିଛି ।  ମାଓବାଦୀ ଙ୍କୁ ନିଜ ଅଞ୍ଚଳରେ ପୁରାଇ ଦେବୁ ନାହିଁ ବୋଲି ଶପଥ ନେଲେ ସ୍ୱାଭିମାନ ଅଞ୍ଚଳବାସୀ । ଆଉ ଏହାପରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ବେଳେ ଆଜି ମାଓ ବିରୋଧୀ ମେଳି କରାଯାଇଛି ।

ଏହି ମେଳିରେ ଲୋକମାନେ ‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’, ‘ନିରୀହ ଜନତା କୁ ମାରିବା ବନ୍ଦ କରାଯାଉ’, ‘ମୃତ ଦାସ ଖେମୁଡୁ ଏବଂ ଅନ୍ୟ ମାନଙ୍କୁ ନ୍ୟାୟ ମିଳୁ’ ଆଦି ଅନେକ ମାଓ ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଅନ୍ୟପକ୍ଷରେ ଆଜି ମାଓବାଦୀମାନେ ତିନି ପୃଷ୍ଠାର ଚିଠି ଜାରି କରି ପୁଲିସ ସହ ସମ୍ପର୍କ ନରଖିବାକୁ ଗ୍ରାମବାସୀମାନଙ୍କୁ ସତର୍କ କରିଦେଇଛନ୍ତି । ଏହି ଚିଠି ଗୁମା ଏରିଆ କମିଟିର ସେକ୍ରେଟାରି ମାଓନେତା ଅନୀଲ ଜାରି କରିଛନ୍ତି । ଚିଠିରେ ମାଓବାଦୀ ଉଲ୍ଲେଖ କରିଛନ୍ତି ଯେ ଖଜୁରୀଗୁଡାର ଦାସ ଖେମୁଡୁ ପୋଲିସର ଇନଫର୍ମର ଭାବେ କାମ କରୁଥିବାରୁ ପୋଲିସକୁ ସାହାଯ୍ୟ ନ କରିବା ନିମନ୍ତେ ବୁଝାଶୁଝା କରା ଯାଇଥିଲା କିନ୍ତୁ ନ ମାନିବାରୁ ତାକୁ ହତ୍ୟା କରାଗଲା । ସିନ୍ଧିବାଡି, ଦାରଲାବେଡ଼, ଜନ୍ତୁରାଇ, ଯୋଡ଼ାଆମ୍ବ  ଗ୍ରାମବାସୀଙ୍କୁ ଏହି ପତ୍ରରେ ବିରୋଧ କରାଯିବା ସହ ଅନ୍ୟ ଗ୍ରାମର ଲୋକମାନେ ଏହି ଚାରି ଗ୍ରାମବାସୀଙ୍କ ସହିତ ସଂପର୍କ ନରଖିବା ପାଇଁ ବାରଣ କରିଛନ୍ତି । ପୋଲିସକୁ ସହାୟତା ନକରିବା ପାଇଁ ପଣସପୁଟ ପଞ୍ଚାୟତର ଅନ୍ୟ ଗ୍ରାମବାସୀଙ୍କୁ ଏହି ପତ୍ରରେ ସତର୍କ କରାଇଦିଆଯାଇଛି । ଯଦି ଗ୍ରାମବାସୀ ପୋଲିସ ସହାୟତା ଯୋଗାଇବେ ତେବେ ସେମାନଙ୍କୁ ଦାସ ଖେମୁଡୁ ଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି କଡା ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର