ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ସାରକୁ ନେଇ ତୁମ୍ବିତୁଫାନ ସୃଷ୍ଟି ହୋଇଛି। ଜିଲ୍ଲାର ୮ଟି ଯାକ ଲ୍ୟାମ୍ପସରେ ସାରର ଅଭାବ ଦେଖାଦେଇଥିବାରୁ ଚାଷୀ ଚଳିତବର୍ଷ ନାହିଁ ନଥିବା ହଇରାଣ ହୋଇଛନ୍ତି। ଲ୍ୟାମ୍ପସକୁ ଯେତେ ସାର ଆସିଲେ ମଧ୍ୟ ନିଅଣ୍ଟ ହେଉଥିବା ଦେଖିବାକୁ ମିଳିଛି। ଗତକାଲି କାଲିମେଳା ମହାରାଜପାଲ୍ଲୀଠାରେ ଚାଷୀ ରାସ୍ତା ଅବରୋଧ କରି ବସିଥିଲେ। ଦୀର୍ଘ ୫ ଘଣ୍ଟା ପରେ ପ୍ରଶାସନିକ ଅଧିକାରୀମାନେ ଆସି ବୁଝାସୁଝା କରିବା ପରେ ଚାଷୀ ରାସ୍ତାରୁ ହଟିଥିଲେ।
ଆଜି ପୁଣି ମାଲକାନଗିରି ଲ୍ୟାମ୍ପସରେ ଚାଷୀଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରାୟ ୩୦୦୦ ଚାଷୀ ଲ୍ୟାମ୍ପସକୁ ଘେରିଥିଲେ। ଲ୍ୟାମ୍ପସକୁ ୫୫୦ କ୍ବିଣ୍ଟାଲ ସାର ଆସିଥିବା ବେଳେ ଏତେ ସଂଖ୍ୟକ ଚାଷୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେନେଇ ଲ୍ୟାମ୍ପସ କର୍ତ୍ତୃପକ୍ଷ ନାକେଦମ ହୋଇଥିଲେ। ଏପଟେ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ ଅଭିମନ୍ୟୁ ନାୟକ କିନ୍ତୁ ବ୍ଲକର ୧୪ଟି ପଞ୍ଚାୟତକୁ ୩୫ଟି ଲେଖାଏ ସାର ପ୍ରଦାନ କରାଯାଇଥିବା କହିଛନ୍ତି। ଏବେ ପୁଣି ଏଠାକୁ ଆସି ଚାଷୀ ହଟ୍ଟଗୋଳ କରୁଥିବା ସେ କହିଛନ୍ତି।
ଲ୍ୟାମ୍ପସରେ ସାର ନଥିବା ବେଳେ ଚାଷୀଙ୍କ ଏଭଳି ହଟ୍ଟଗୋଳ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଭୟଭୀତ କରିଛି। ଲ୍ୟାମ୍ପସ ବାହାରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ସକାଳରୁ ହଜାର ହଜାର ଚାଷୀ ଲ୍ୟାମ୍ପସ କାର୍ଯ୍ୟାଳୟରେ ପହଞ୍ଚି ତୁରନ୍ତ ସାର ପ୍ରଦାନ କରିବାକୁ ଦାବି କରିଛନ୍ତି। ତେବେ ଏତେ ସାର ଆସିବା ପରେ ମଧ୍ୟ ଚାଷୀଙ୍କୁ ସାର ନମିଳିବା ଘଟଣା ଚାଷୀ ହଜମ କରିପାରୁ ନାହାନ୍ତି। ଚାଷୀଙ୍କ ଅଭିଯୋଗ ହେଲା ସାର କଳାବଜାରୀ ହେଉଛି। ଲ୍ୟାମ୍ପସରେ ସାର ୩ ଶହ ଟଙ୍କା ଥିବାବେଳେ ବଜାରରେ ତାହା ଏକ ହଜାରରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟ ଦିଗରେ ବିଆରସିଏସଙ୍କ କହିବା ହେଲା ସାର ପୁଣି ଆସୁଛି। ଚାଷୀଙ୍କୁ ବଣ୍ଟନ କରାଯିବ। ତେବେ ଧାନ ଗଛ ଏବେ ମରିବାକୁ ବସିଲାଣି। ଏତେ ବିଳମ୍ବରେ ସାର ପ୍ରଦାନ କରାଗଲେ ଚାଷୀ କିପରି ଗଛ ବଞ୍ଚାଇବେ ବୋଲି କହିଛନ୍ତି। ତୁରନ୍ତ ସାର ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି।