ନୂତନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଜି ୪ ନମ୍ବର ୱାର୍ଡରେ ନୂତନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ ଓ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଶାଲ ସିଂ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ସିଡିଏମ୍‌ଓ ଡା ପ୍ରଫୁଲ କୁମାର ନନ୍ଦ, ପୌର ଉପାଧ୍ୟକ୍ଷା କବିତା ମହନ୍ତ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ଡିପିଏଚ୍‌ଓ ସନ୍ଧ୍ୟରାଣୀ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିଏମ୍‌ଓ ଶିବ ପ୍ରସାଦ ମହାରଣା, ସିନିୟର ମେଡିକାଲ ଅଫିସର ଡା. ଅନୀଲ କୁମାର ମିଶ୍ର, ଜିଲ୍ଲା ଗୁଣବତ୍ତା ଅଧିକାରୀ ସଚିନ ଗୌଡ ଓ ଅଙ୍କିତ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସ୍ବାସ୍ଥ୍ୟ କେନ୍ଦ୍ରଦ୍ବାରା ୪ ନମ୍ବର ୱାର୍ଡବାସୀନ୍ଦା, ତଳସାହି, ହାଟପଦା, ଜେଲ ସାହି, ପ୍ରଧାନୀଗୁଡା, ମହେଶ୍ବର କଲୋନୀ, ଫରେଷ୍ଟ କଲୋନୀ, ଜଗନ୍ନାଥ ପଡା, ମନ୍ଦିର ସାହିର ଲୋକମାନେ ପ୍ରାଥମିକ ଚିକିତ୍ସା ସୁବିଧା ପାଇପାରିବେ ବୋଲି ସିଡିଏମ୍‌ଓ କହିଛନ୍ତି। ଏହି ଚିକିତ୍ସାଳୟରେ ବର୍ହିଃବିଭାଗ, ଡ୍ରେସିଂ ରୁମ୍, ଲାବ୍ରୋଟାରୀ, ନିରାମୟ, କାଉନସିଲିଂ ଗୃହ, କାର୍ଯ୍ୟାଳୟ ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିଛି। ଚିକିତ୍ସା ଯୋଗାଇବା ପାଇଁ ସେଠାରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫନର୍ସ, ଲ୍ୟାବ ଟେକ୍ନିସିଆନ୍, ସପୋର୍ଟ ଷ୍ଟାଫ୍ ଓ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ସେଠାରେ ନବଜାତ, ଶିଶୁ ଓ କିଶୋରଙ୍କ ଚିକିତ୍ସା, ପରିବାର ନିୟୋଜନ ଓ ପ୍ରଜନନ ଚିକିତ୍ସା, ଚକ୍ଷୁର ପ୍ରାଥମିକ ଯତ୍ନ, ସଂକ୍ରମଣ ଓ ଅଣସଂକ୍ରମଣ ରୋଗର ପରିଚାଳନା, କାନ, ନାକ ଓ ଗଳାର ପ୍ରାଥମିକ ଯତ୍ନ, ଦାନ୍ତର ପ୍ରାଥମିକ ଚିକିତ୍ସା, ଗର୍ଭବସ୍ଥା ଓ ପ୍ରସବ ଯତ୍ନ, ମାନସିକରୋଗୀର ଚିକିତ୍ସା ଓ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଉପଲବ୍ଧ ରହିବ।

ଏଥିସହ ସେଠାରେ ରକ୍ତର ବର୍ଗ ନିରୂପଣ, ହିମୋଗ୍ଲାବିନ୍, ମ୍ୟାଲେରିଆ, ଏଚ୍‌ଆଇଭି, ମଧୁମେହ, ମଳ, ମୂତ୍ର, ଗର୍ଭ ଆଦି ପରୀକ୍ଷା ମଧ୍ୟ ହୋଇପାରିବ। ସେଠାରେ ଲୋକମାନ‌େ ସୁବିଧାରେ ଚିକିତ୍ସା କରାଇ ନିରାମୟରୁ ମାଗଣାରେ ଔଷଧ ମଧ୍ୟ ପାଇପାରିବ‌େ। ସେଠାରେ ପ୍ରତ୍ୟେକ ଦିନ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ଓ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏବଂ ରବିବାର ସକାଳ ସମୟରେ ହିଁ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ। ଏହି ଚିକିତ୍ସାଳୟକୁ ପରିଚାଳନାରେ ବିଶ୍ବ ଜୀବନ ଏନଜିଓ ସହଯୋଗ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର