ମାଲକାନଗିରି କୋଭିଡ ଚିକିତ୍ସାଳୟରେ ୩ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ପ୍ରଦାନ

ମାଲକାନଗିରି: ମାଲକାନଗିରି କୋଭିଡ ଚିକିତ୍ସାଳୟକୁ ମିଳିଛି ବଡ଼ ସଫଳତା। କୋଭିଡ ଚିକିତ୍ସାଳୟରେ ୩ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ପ୍ରଦାନ କରାଯାଇଛି। କୋରାପୁଟରୁ ତିନୋଟି ପ୍ଲାଜ୍‌ମା ବା ଧଳା ରକ୍ତ କଣିକାଗୁଡିକୁ ସଂଗ୍ରହ କରାଯାଇ ଏହି ଆକ୍ରାନ୍ତଙ୍କୁ ଦିଆଯାଇଥିବା ସୂଚନା ରହିଛି।

ମାକାନଗିରି କୋଭିଡ ହସ୍ପିଟାଲ ରେ ଯଦିଓ ପ୍ଲାଜମା ବ୍ୟାଙ୍କ ନାହିଁ କିମ୍ବା ପ୍ଲାଜମା ସଂଗ୍ରହ କରା ଯିବାର ମଧ୍ୟ ବ୍ୟବସ୍ଥା ନାହିଁ । ତେବେ ଆବଶ୍ୟକ ମୁତାବକ, ନିକଟବର୍ତ୍ତୀ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ ପ୍ଲାଜମା ଦିଆଯାଇଥିବା ଜଣାପଡ଼ିଛି ।

ପ୍ଲାଜ୍‌ମା ଥେରାପି ପରେ ସମସ୍ତେ ସୁସ୍ଥ ହୋଇଥିବା ସୂଚନା ରହିଛି। କୋଭିଡ ହସ୍ପିଟାଲର ଦାୟିତ୍ୱରେ ଥିବା ଡାକ୍ତର କୃଷ୍ଣଚନ୍ଦ୍ର ମହାପ୍ରଭୁଙ୍କ ନେତୃତ୍ୱରେ ଏହି ପ୍ଲାଜ୍‌ମା ଥେରାପି କରାଯାଇଛି। ପ୍ରକାଶ ଥାଉକି ମାଲକାନଗିରି କୋଭିଡ ହସ୍ପିଟାଲରେ ଉନ୍ନତମାନର ଆଇସିୟୁ, ଭେଣ୍ଟିଲେଟର ସମେତ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିଛି। ଜିଲ୍ଲାରେ ଏବେ ସୁଦ୍ଧା ପ୍ରାୟ୨୩୫୦ରୁ ଉର୍ଦ୍ଧ୍ବ ରୋଗୀ ସୁସ୍ଥ ହୋଇ ସାରିଲେଣି। ଗତ କିଛି ଦିନ ତଳେ ୭୫ ବର୍ଷୀୟା ବୃଦ୍ଧାଙ୍କୁ କୋଭିଡ ହସ୍ପିଟାଲରେ ଉତ୍ତମ ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିବା ଖବର ଆପଣଙ୍କର ମନେ ଥିବ ନିଶ୍ଚୟ।

ସମ୍ବନ୍ଧିତ ଖବର