ବର୍ଷକ ପରେ ଧରାପଡିଲା ଦୁଷ୍କର୍ମ ଅଭିଯୁକ୍ତ

ଘରୁ ମିଳିଲା ୧୨ଶହ ଲିଟର ମଦ,୬ ଲକ୍ଷ ଟଙ୍କା

ମାଲକାନଗିରି : ଜଣେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ବର୍ଷକ ପରେ ଧରିଛି ପୁଲିସ। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ରହି ପୁଲିସକୁ ଚକ୍‌ମା ଦେଖାଇ ଫେରାର ରହିଥିବା ଧରମୁ ଜିରମଙ୍କୁ ଗିରଫ କରି ଆଣିବା ପାଇଁ ପୁଲିସ ୪ଟି ଟିମ୍‌ ଗଠନ କରିଥିଲା। ଧରମୁର ଘରୁ ପୁଲିସ ୬ ଲକ୍ଷ ଟଙ୍କା, ୨ଶହ ଲିଟର ବିଦେଶୀ ମଦ, ୧ହଜାର ଲିଟର ଦେଶୀ ମଦ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଗତବର୍ଷ ଦୁର୍ଗାପୂଜା ବେଳେ ମାଥିଲି ବ୍ଲକର କଂସାରିପୁଟ ଗ୍ରାମରେ ଜଣେ ନାବାଳିକାକୁ ସେହି ଗ୍ରାମର ଧରମୁ ଜିରମ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡିତା ମାଥିଲି ଥାନାରେ ଏତଲା ଦାୟର କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପୀଡିତା ଜଣକ ପୁଣି ମାଲକାନଗିରି ଥାନାରେ ଆସି ଏତଲା ଦାୟର କରିଥିଲେ। ଫଳରେ ଏହି ମାମଲା ପୁଣି ମାଥିଲି ଥାନାକୁ ଆସିଥିଲା। କେଶ ନମ୍ବର ୧୨୪/୧୬ର ପୁଲିସ ତଦନ୍ତ କରିଥିଲେ ମଧ୍ୟ ଗତ ଏକ ବର୍ଷ ହେଲା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସଫଳ ହୋଇ ନଥିଲା। ପୁଲିସ ତଦନ୍ତ ପାଇଁ କଂସାରିପୁଟକୁ ଗଲେ ଓଲଟି ଡରାଉଥିଲା। ଏହା ନକ୍ସଲ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପୁଲିସ ମଧ୍ୟ ସାହସ ଜୁଟାଇ ପାରୁ ନଥିଲା।

ତେବେ ଡିଏସପି ମାନସ ରଂଜନ ବାରିକଙ୍କ ନେତୃ଼ତ୍ୱରେ ଆଜି ଏକ ପୁଲିସ ଟମ୍‌ ସେହି ଗ୍ରାମକୁ ଯାଇଥିବା ବେଳେ ଧରମୁର ମା’ ତାକୁ ଘରେ ଚାବି ପକାଇ ଦେଇ ଅନ୍ୟତ୍ର ଚାଲିଯାଇଥିଲା। ପୁଲିସ ତାଙ୍କ ଘରର ଚାବି ଭାଙ୍ଗି ଧରମକୁ କାବୁ କରିଥିଲା। ତେବେ ଏହି ସମୟରେ ଧରମୁର ମା’ ଏବଂ ତାର ଭଉଣୀ ପୋଲିସକୁ ଆକ୍ରମଣ କରିଥିଲେ। ଧରମୁର ଘରୁ ୨ ଶହ ଲିଟର ବିଦେଶୀ ମଦ,୧୦୦୦ ଲିଟର ଦେଶୀ ମଦ ସହ ୬ ଲକ୍ଷରୁ ଊର୍ଧ୍ୱ ଟଂକା ଜବତ କରାଯାଇଛି। ମଦ ସହ ଅଭିଯୁକ୍ତକୁ କଡ଼ା ସୁରକ୍ଷା ମଧ୍ୟରେ ମାଥିଲିକୁ ଆଣିଛି। ରାସ୍ତାରେ ବିରୋଧର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ୪ଟି ପୁଲିସ ଟିମ୍‌ ମାଲକାନଗିରିରୁ ଯାଇଥିଲେ। ଏଥିସହ ନାବାଳିକାକୁ ଯେଉଁ ଗାଡିରେ ଅପହରଣ କରାଯାଇଥିଲା ସେହି ଗାଡିର ଡ୍ରାଇଭରକୁ ପୁଲିସ ପୂର୍ବରୁ ଗିରଫ କରିଥିବା ଡିଏସପି କହିଛନ୍ତି।ଏହି ଚଢାଉରେ ଏସଆଇ ଏସ.କେ ଝଙ୍କର,ଏସ.ବି.ମିଶ୍ରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର