ପୁଲିସ-ନକ୍ସଲ ଗୁଳି ବିନିମୟ :ଦୁଇ ଯବାନ ସହିଦ, ଜଣେ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି:  ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଯବାନ ସହିଦ ହୋଇଛନ୍ତି । ଗୁଳି ମାଡରେ ଅନ୍ୟ ଜଣେ ଛାତ୍ର ଓ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡିଛି । ସହିଦ ହୋଇଥିବା ଯବାନ ସିଆରପିଏଫ ୧୯୯ ବାଟାଲିୟନର ବୋଲି ସୂଚନା ମିଳିଛି । ଆହତଙ୍କୁ ପ୍ରଥମେ ଭେରମଗଡ ହସପିଟାଲକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଏଠାରୁ ରାୟପୁର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେଶକୁତଲ ଗ୍ରାମ ନିକଟରେ ନକ୍ସଲ କ୍ୟାମ୍ପ କରି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ଯବାନ ଏହି ଅଂଚଳକୁ କମ୍ବିଂ କରିବାକୁ ଯାଇଥିଲେ। ପୁଲିସକୁ ଟାର୍ଗେଟ କରି ନକ୍ସଲ ଆମ୍ବୁସ ଲଗାଇଥିବା ବେଳେ ଏଥିରେ ଫସିଯାଇଥିଲେ ଯବାନ । ଯବାନଙ୍କୁ ଦେଖି ନକ୍ସଲ ଆଖିବୁଜା ଗୁଳି ଚଳାଇଥିଲେ । ନକ୍ସଲଙ୍କୁ ମୁକାବିଲା କରିବାକୁ ଯାଇ ଯବାନ ନିଜକୁ ସୁରକ୍ଷିତ ରଖିଥିଲେ ହେଁ ଗୁଳି ମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ । ଏହି ସମୟରେ କେଶକୁତୁଲ ଗ୍ରାମରୁ ଏକ ପିକଅପ୍ ଭ୍ୟାନ ଭେରମଗଡ ହାଟକୁ ବାହାରିଥିଲା। ଏହି ଭ୍ୟାନରେ କିଛି ସ୍କୁଲ ଛାତ୍ର ବସିଥିଲେ। ପିକଅପ୍ ଭ୍ୟାନଟି ପୁଲିସ ଓ ନକ୍ସଲଙ୍କ ଗୁଳି ବିନିମୟ ମଧ୍ୟରେ ଫସିଯାଇଥିଲା। ନକ୍ସଲଙ୍କ ଗୁଳି ପିକଅପ୍ ଭ୍ୟାନରେ ବାଜିଥିଲା। ଫଳରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ହୋଇଯାଇଥିଲା। ଗୁଳି ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ପରେ ଅଧିକା ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା ବିଜାପୁର ଏସପି ଦିବ୍ୟାଙ୍ଗ ପାଟେଲ କହିଛନ୍ତି । ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସହ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି । ଖବର ଲେଖାଯିବା ବେଳକୁ ବି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟରେ କେଶକୁତୁଲ ଗ୍ରାମବାସୀ ଭୟଭିତ ହୋଇ ଘରୁ ପଦାକୁ ବାହାରୁ ନାହାନ୍ତି। ପୁଲିସ ସମଗ୍ର ଗ୍ରାମକୁ ଘେରାବନ୍ଦୀ କରି ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଛି। ଦୀର୍ଘ ଦିନ ପରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରି ସଫଳ ହୋଇଛନ୍ତି। ଏହି ଘଟଣାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ସମ୍ବନ୍ଧିତ ଖବର