ଜୁଆ ଆଡ୍ଡାରେ ଚଢ଼ାଉ : ୮ ଜୁଆଡ଼ି ଗିରଫ, ନଗଦ ୯୦ ହଜାର ଟଙ୍କା ଜବତ

ମାଲକାନଗିରି : ମାଲକାନଗିରି ପୁଲିସ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଅଡ୍ଡାରେ ଚଢାଉ କରିଛି। ମାଲକାନଗିରି ଠାରୁ ତିନି କିଲୋମିଟର ଦୂର ବି.ଡି କଲେଜ ନିକଟରେ ଚାଲିଥିବା ଆଡ୍ଡାରେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ ଟିମ୍ ଚଢ଼ାଉ କରିଥିଲା। ଏହି ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆଡ୍ଡି ଖସି ଚାଲି ଯାଇଥିଲେ ବି ୮ଜଣ ଧରାପଡ଼ିଛନ୍ତି। ସେମାନଙ୍କୁ ପୁଲିସ ଗିରଫ କରିବା ସହ ନଗଦ ୯୦ ହଜାର ଟଂକା ଜବତ କରିଛି। ଏଥିସହ ୨୦ଟି ମଟର ସାଇକେଲକୁ ମଧ୍ୟ ପୁଲିସ ଜବତ କରିଛି। ଆଜି ମାଲକାନଗିରି ଏସପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଗତ ଦେଢମାସ ମଧ୍ୟରେ ପୁଲିସ ପାଖାପାଖି ୨ ଲକ୍ଷ ୫୦ ହଜାର ଟଂକା ଜବତ କରିଥିବା ବେଳେ ଦେଢ ଶହ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ଶତାଧିକ ମଟର ସାଇକେଲ ମଧ୍ୟ ଜବତ କରିଥିଲା। ପ୍ରକାଶ ଥାଉକି ଗତ କିଛି ଦିନ ହେଲା ମାଲକାନଗିରି ଅଂଚଳରେ ପ୍ରବଳ ଜୁଆ ଖେଳ ହେଉଥିବା ନେଇ ଖବର ରହିଥିଲା। ଜୁଆ ଖେଳକୁ ନେଇ ପୁଲିସ ଉପରେ ଅଙ୍ଗୁଳି ନିର୍ଦେଶ ହେଉଥିବାରୁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ରହିଥିଲା। ତେବେ ଆଗାମୀ ଦିନରେ ମଧ୍ୟ ଜୁଆ ଅଡ୍ଡା ଉପରେ ଚଢାଉ କରାଯିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର