ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଧାରଣ ନିର୍ବାଚନ ନିମନ୍ତେ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ଥିବା ସମସ୍ତ ବୁଥଗୁଡ଼ିକରେ ଗତକାଲି ଠାରୁ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତର ଯନ୍ତ୍ରୀ ଓ ସନ୍ନ୍ୟାସୀଗୁଡ଼ା ଗ୍ରାମରେ ମତଦାନ କରାଇବାକୁ ପୋଲିଂ ପାର୍ଟି ସ୍ୱତନ୍ତ୍ର ମୋଟର ଲଞ୍ଚ ଯୋଗେ ଆଜି ଦିନ ୧୧ଟା ସମୟରେ ଚିତ୍ରକୋଣ୍ଡା ସ୍ପିଲବେ ଲଞ୍ଚ ଘାଟରୁ ବୁଥ ନେଇ ଯାତ୍ରା କରିଛନ୍ତି।
ଚଳିତ ନିର୍ବାଚନରେ ଚିତ୍ରକୋଣ୍ଡା ବ୍ଲକରେ ସମୁଦାୟ ୫୪ ଟି ବୁଥରେ ମତଦାନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବାବେଳେ ସେଥି ମଧ୍ୟରୁ ୧୪ଟି ସମ୍ବେଦନଶୀଳ ଵୁଥ ରହିଛି। ପୂର୍ବରୁ ଏହି ସବୁ ଅଞ୍ଚଳଗୁଡ଼ିକ ଲାଲଗଡ଼ ରୂପେ ପରିଚିତ ଥିଲା। ବନ୍ଧୁକ ମୂନରେ ଲାଲ ବାହିନୀ ଏହିସବୁ ଅଞ୍ଚଳରେ ରାଜୁତି କରୁଥିଲା। ଲାଲ ବାହିନୀ ଭୟରେ ଲୋକେ ଭୋଟ ଦେବାକୁ ଆସୁନଥିଲେ। ସୁରକ୍ଷା ଦୃଷ୍ଟିରୁ ସ୍ୱାଭିମାନ ଅଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେପ୍ରଶାସନ ପକ୍ଷରୁ ମତଦାନ କରିବା ସମ୍ଭବ ହୋଇ ପାରୁନଥିଲା। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ଗାଁଗୁଡ଼ିକୁ ରାସ୍ତା ନିର୍ମାଣ ହେବା ସହ ଘର ଘରକୁ ବିଜୁଳି ପହଞ୍ଚିଛି ଓ ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପ ମଧ୍ୟ ନିର୍ମାଣ ହୋଇଛି।
ଏହିସବୁ ଅଞ୍ଚଳରେ ଗତଥର ୬୭% ମତଦାନ ହୋଇଥିଲା। ଭୋଟ ପାଇଁ ଏହିସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପ୍ରଶାସନ ସୂଚନା ଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଥିଲା।ମତଦାନ ସମୟରେ ଯେଭଳି କୌଣସି ବିଶୃଙ୍ଖଳା ଦେଖା ନଯାଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ପ୍ରଶାସନ ସୂଚନା ଦେଇଛି। ଚିତ୍ରକୁଣ୍ଡା ସ୍ଥିତ ଲୁଞ୍ଚଘାଟଠାରେ ଯନ୍ତ୍ରୀ ଓ ସନ୍ୟାସୀଗୁଡ଼ା ଯାଉଥିବା ପୋଲିଂ ପାର୍ଟିକୁ ଚନ୍ଦନ, ଫୁଲ ପିନ୍ଧାଇ ହୁଳହୁଳି ପକାଇ ବିଦାୟ କରାଯାଇଥିଲା। ଦୁଇ ପୋଲିଂ ପାର୍ଟି ସହ ଗୋଟିଏ ରିଜର୍ଭ ପୋଲିଂ ପାର୍ଟି ମଧ୍ୟ ଯାଇଥିବା ପ୍ରଶାସନ ସୂଚନା ଦେଇଛି।