ମାତ୍ର ଦୁଇ ସପ୍ତାହରେ ସ୍ୱାଭିମାନ ଅଞ୍ଚଳରେ ତିଆରି ହେଲା ପୋର୍ଟେବୁଲ୍ ଡାକ୍ତରଖାନା

ମାଲକାନଗିରି: ମାତ୍ର ଦୁଇ ସପ୍ତାହରେ ତିଆରି ହେଲା ଡାକ୍ତରଖାନା। ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ୨ କୋଟି ଟଙ୍କା ମୂଲ୍ୟରେ ଏକ ୫୦ ଶଯ୍ୟା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ କରିଛି ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ। ଚେନ୍ନାଇ ଆଇଆଇଟି ପକ୍ଷରୁ ଏହି ପୋର୍ଟେବୁଲ ହେଲଥ୍ ସେଣ୍ଟରଟି ନିର୍ମାଣ କରାଯାଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ ବୋଲି ଜଣାଯାଇଛି।

ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳର ବଡ଼ପଡ଼ା ଠାରେ ଓଡ଼ିଶା ରାଜ୍ୟ ସରକାର ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ନିର୍ମାଣ ହେଲା ୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ବ୍ୟବସ୍ଥା ଯୁକ୍ତ ପୋର୍ଟେବୁଲ ହେଲଥ କେୟାର ୟୁନିଟ। ଏହାକୁ ଆର୍ଥିକ ସହାୟତା କରିଛି ମାଷ୍ଟରକାର୍ଡ। ମାତ୍ର ଦୁଇ ସପ୍ତାହରେ ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ସୁବିଧା ଯୁକ୍ତ ମେଡିକାଲ। ପାହାଡ଼ କଟାଯାଇ ଟ୍ରକ, ଟ୍ରଲର ଓ କ୍ରେନ ମାଧ୍ୟମରେ ଏହି ସବୁ ରୁମ ଗୁଡିକୁ ସ୍ଥାପନ କରାଯାଇଛି।

ରୁମଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ରୋଗୀଙ୍କ ନିମନ୍ତେ ୪୬ଟି ନର୍ମାଲ ବେଡ ରହିଥିବା ବେଳେ ଭେଣ୍ଟିଲେଟର ଯୁକ୍ତ ୪ ଟି ଆଇସିୟୁ ବେଡ ରହିଛି। ମେଡିକାଲ ରେ ଅକ୍ସିଜେନ କଂସେସେଟରର ବ୍ୟବସ୍ଥା ମଧ୍ୟ ରହିଛି। ସବୁ ରୁମରେ ବେଡ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ବ୍ୟବସ୍ଥାରେ ଟଏଲେଟ ନିର୍ମାଣ କରାଯାଇଛି। ଡାକ୍ତରଙ୍କ ରହିବା ସହିତ ଓ ପିଡି ଓ ସିଷ୍ଟରଙ୍କ ରହିବା ନିମନ୍ତେ ରୁମର ବ୍ୟବସ୍ଥା ରହିଛି।

ପୂର୍ବରୁ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୯ଗୋଟି ପଞ୍ଚାୟତବାସୀଙ୍କୁ ଚିତ୍ରକୁଣ୍ଡା ଓ ମାଲକାନଗିରି ମେଡିକାଲକୁ ଯିବାକୁ ପଡ଼ୁଥିଲା। ସେହି ସୁବିଧା ସବୁ ଏଠାରେ ଏହି ମେଡିକାଲରେ ସ୍ୱାଭିମାନ ଅଞ୍ଚଳବାସୀ ପାଇପାରିବେ ଓ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ପୋର୍ଟେବୁଲ ହେଲଥ କେୟାର ସେଣ୍ଟରଟି ଏକ ମାଇଲଖୁଣ୍ଟ ହେବ ବୋଲି ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କୋର୍ଡିନେଟର ବୈଦ୍ୟନାଥ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର