ମାଲକାନଗିରି: ତତ୍କାଳୀନ ରାଜ୍ୟ ସରକାର ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନିରାଶ୍ରୟ ଦିବ୍ୟାଙ୍ଗ ଏବଂ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ଏକ ପୁନର୍ବାସ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରିଥିଲେ। ଜିଲ୍ଲାର କୋରକୋଣ୍ଡାର ଇନ୍ଦିରା କଲୋନୀରେ ଏହି ପୁନର୍ବାସ କେନ୍ଦ୍ର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନ ନିରୂପଣ କରିଥିଲା। ତେବେ ଗତ ୬ ବର୍ଷ ହେଲା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାମ ସରିବାର ନାମ ନେଉ ନାହିଁ। ଗତ ୨୦୧୮ ମସିହାରେ ଏହି ପୁନର୍ବାସ କେନ୍ଦ୍ର ପାଇଁ କୋରକୋଣ୍ଡାରେ ପ୍ରାୟ ୨୫ ଏକ ଜାଗା ଚିହ୍ନଟ କରାଯାଇଥିଲା।

Advertisment

 ଏଠାରେ ରହିଥିବା ଏକ କଲୋନୀର ପ୍ରାୟ ୧୩ ଜଣ ପରିବାରକୁ ଅନ୍ୟତ୍ର ଜାଗା ଦେବା ସହ ଗୃହ ନିର୍ମାଣ କରାଯାଇଥିଲା। କାର୍ଯ୍ୟ ବି ଜୋରସୋରରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକୁ ଭୁବନେଶ୍ବରର ବ୍ରିଜ ଏବଂ ରୁଫ କମ୍ପାନୀ ଇମ୍ଡିଆ ଲିମିଟେଡ ଠିକା ସଂସ୍ଥା ଟେଣ୍ଡର ପାଇବା ପରେ କାମ ଆରମ୍ଭ କରିଥିଲା। ସେ ଗତ ୨୦୧୮ରେ ଟେଣ୍ଡର ପାଇଥିଲେ ମଧ୍ୟ ୨୦୧୯ରେ କାମ ଆରମ୍ଭ କରିଥିଲା। ଏହି ପ୍ରକଳ୍ପରେ ଚାରୋଟି ବ୍ଲକ ହେବ। ପ୍ରତ୍ୟେକ ବ୍ଲକରେ ତିନି ମହଲା ବିଶିଷ୍ଟ ହେବ। ଏଥିପାଇଁ ସେତେବେଳେ ୨୭ କୋଟି ୪୪ ଲକ୍ଷ ୨୭୦୦ ଟଂକା ବ୍ୟୟବରାଦ ହୋଇଥିଲା। ଏହି ପୁନର୍ବାସ କେନ୍ଦ୍ରରେ ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗ ଏବଂ ସ୍ବାମୀ ପରିତ୍ୟକ୍ତ ମହିଳାମନେ ଥଇଥାନ ହେବା ସହ ସେମାନଙ୍କ ପାଇଁ ଗୃହ,ଶୌଚାଳୟ,ରୋଷେଇ ଗୃହ,ଚିକିତ୍ସା ଗୃହ ଇତ୍ୟାଦି ନିର୍ମାଣ କରାଯାଉଛି। ଚାରୋଟି ବ୍ଲକ ମଧ୍ୟରୁ ଗୋଟିଏ ବ୍ଲକର କାମ ଆଜି ପର୍ଯ୍ୟନ୍ତ ସରିନାହିଁ। ଏବେ ବି କିଛି ବ୍ଲକରେ ଛାତ ପଡିନଥିବା ବେଳେ ଇଟା ଯୋଡି ହୋଇନାହିଁ। ତେବେ ରାଜ୍ୟ ସରକାର ବଦଳି ଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଏହା ୩୫ କୋଟି ୬୯ ଲକ୍ଷ ଟଂକାରେ ପହଞ୍ଚିଲାଣି।

 କିନ୍ତୁ କାମ ସମାପ୍ତ ହେଉନାହିଁ। ବ୍ରିଜ ଏଣ୍ଡ ରୁଫ କମ୍ପାନୀ ଜିଲ୍ଲାର କିଛି ଠିକାଦାରଙ୍କୁ ଏହି କାମ ଦେଇଥିବା ବେଳେ ସେମାନେ ମଧ୍ୟ କାମ କରି ଏବେ ଠକାମୀରେ ପଡିଥିବା ଜଣାପଡିଛି। ସ୍ଥାନୀୟ ଠିକାଦାରମାନେ ଟଂକା ପାଇ ନଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଅଧିକାରୀଙ୍କ ସହ ଏନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ତାଂକ ପ୍ରତିକ୍ରିୟା ଏଠାରେ ଦିଆଯାଇପାରି ନାହିଁ। ତେବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ପଚାରିବାରୁ ସେ ଏ ସଂପର୍କରେ ତାଂକ ନିକଟରେ କୌଣସି ସୂଚନା ନଥିବା କହିଥିଲେ। ତେବେ ଏହି କାମକୁ ରାଜ୍ୟ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ସିଧାସଳଖ ବୁଝୁଥିବା ଜଣାପଡିଛି। ତେବେ କେବେ ଏହି ପୁନର୍ବାସ କେନ୍ଦ୍ରର କାମ ସରିବ ଏବଂ ଜିଲ୍ଲାର ଅସହାୟ ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗ ଏବଂ ଅସହାୟ ମହିଳାମାନେ ଥଇଥାନ ହେବେ ତାକୁ ନେଇ ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି। ବର୍ତ୍ତମାନର ସରକାର ଏହାକୁ ଗୁରୁତ୍ବର ସହ ନେଲେ ହୁଏତ ଆଗାମୀ କିଛି ଦିନ ମଧ୍ୟରେ ଏହି ପୁନର୍ବାସ କେନ୍ଦ୍ରର କାମ ଦ୍ରୁତ ଗତିରେ ଆରମ୍ଭ ହୋଇ ସମାପ୍ତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।