ରାଖାଲଗୁଡା ଘାଟରେ ଦେଶୀ ଡଙ୍ଗା ଭରସା:ବିନା ଲାଇଫ୍‌ ଜ୍ୟାକେଟରେ ଅସୁରକ୍ଷିତ ଯାତ୍ରା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ନଦୀ ତଥା ନାଳ ଯୋଗୁଁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି। ସିଧାସଳଖ ସଡ଼କ ପଥ ନଥିବାରୁ ସରକାରୀ ଯୋଜନା ବି ସେହି ଅଞ୍ଚଳରେ ପହଞ୍ଚି ପାରେନାହିଁ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳ ଗୁଡ଼ିକରେ ବିକାଶ କାର୍ଯ୍ୟ ଆଦୌ ହୋଇପାରି ନାହିଁ। ତଥାପି ବଞ୍ଚିବା ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ଜଳପଥକୁ ଯୋଗାଯୋଗ ନିମନ୍ତେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ଜଳପଥରେ ଯୋଗାଯୋଗକୁ ସୁରକ୍ଷିତ କରାଯିବା ଦିଗରେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଆଦୌ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହାଫଳରେ ବିପଦପୂର୍ଣ୍ଣ ଭାବେ ଅସୁରକ୍ଷିତ ନୌକାରେ ଲୋକେ ଯାତ୍ରା କରୁଛନ୍ତି। ଏହି ଦୃଶ୍ୟ ବିଚ୍ଛିନ୍ନାଞ୍ଚଳରେ ନିୟମିତ ଦେଖିବାକୁ ମିଳେ। ହେଲେ ଏହି ଅଞ୍ଚଳ ସଂପର୍କରେ ଜାଣି ନଥିବା ଲୋକ ଏମିତି ଯାତ୍ରା ଦେଖିଲେ ମନରେ ଆପେଆପେ ଭୟ ସୃଷ୍ଟି ହୋଇଥାଏ।

କୌଣସି ମୁହୂର୍ତରେ ଡଂଗା ଓଲଟି ପଡିବାର ଆଶଂକାକୁ ଏଡାଇ ଦିଆଯାଇନପାରେ। ଚିଲିକାରେ ହୋଇଥିବା ଡଂଗା ବୁଡ଼ି ଘଟଣା ପରେ ସରକାର ନଚେତିଲେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଅନୁରୂପ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ପାଇଁ ଘାଟ ରହିଥିବା ବେଳେ ସେଥିମଧ୍ୟରୁ କୋରକୋଣ୍ଡା ବ୍ଲକର ରାଖାଲଗୁଡା ଘାଟ ଅନ୍ୟତମ। ଏଠାରେ ଗୋଟିଏ ଦେଶୀ ଡଂଗାରେ ଲୋକେ ଖୁନ୍ଦାଖୁନ୍ଦି ହୋଇ ଯାତ୍ରା କରୁଛନ୍ତି। ଦେଶୀ ଡଂଗାରେ ଦଶ ଜଣ ବସିବା ସ୍ଥାନରେ ବସୁଛନ୍ତି ୫୦ଜଣ। ଏଥିସହ ମଟର ସାଇକେଲ ଏବଂ ଦୈନନ୍ଦିନ ରାସନ ସାମଗ୍ରୀ ମଧ୍ୟ ଯାଉଛି। ପୁଣି ପୁରୁଣା ଦଦରା ଡଂଗାର ଛୋଟ ଛୋଟ ଡଙ୍ଗାରେ ପାଣି ପଶିଯାଏ। ନାଉରିଆ କାତ ମାରିବା ବେଳେ ଅନ୍ୟ ଜଣେ ସହଯୋଗୀ ଡଂଗାରୁ ପାଣି କାଢିବାରେ ନିୟୋଜିତ ହୋଇଥାଏ। ଏହି ଯାତ୍ରାରେ ବିପଦ ରହିଥିଲେ ମଧ୍ୟ ଅନ୍ୟ ବିକଳ୍ପ ନଥିବାରୁ ଲୋକେ ଡଂଗାରେ ଲଦାଲଦି ହୋଇ ଯାଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ତରଫରୁ ଏମାନଙ୍କୁ ନା ଲାଇଫ ଜ୍ୟାକେଟ ପ୍ରଦାନ କରାଯାଇନାହିଁ।
ଏମଭି-୨୬ ଗ୍ରାମ ନିକଟରେ ରହିଥିବା ରାଖାଲଗୁଡା ଘାଟରେ ଗତ କିଛି ବର୍ଷ ତଳେ ଏକ ଦେଶୀ ଡଂଗା ପ୍ରଶାସନ ତରଫରୁ ଦିଆଯାଇଥିଲା। କାହିଁ କେତେ ବର୍ଷରୁ ଏହି ଡଂଗାରେ ଲୋକେ ଯିବା ଆସିବା କରୁଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଆସିଯାଇଥିବା ବେଳେ ଏହି ନଦୀରେ ପାଣିର ସ୍ରୋତ ବଢିଯାଇଛି। କିନ୍ତୁ ଲୋକେ କୌଣସି ସରକାରୀ ନିୟମକୁ ନମାନି ଡଂଗାରେ ଲଦି ହୋଇ ଯିବାଆସିବା କରୁଛନ୍ତି। ଗତ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ତରଫରୁ ଘାଟ ଗୁଡିକରେ ଥିବା ଡଂଗାର ମରାମତି ଏବଂ ନୂତନ ଡଂଗା ଦିଆଯିବା ନେଇ ନିଷ୍ପତ୍ତି ନେଇଥିବା ବେଳେ ଆଜି ସୁଦ୍ଧା ସେଠାରେ ପ୍ରଶାସନ ତରଫରୁ କୌଣସି ଅଧିକାରୀ ପହଞ୍ଚିନଥିବା ଗ୍ରାମବାସୀ କହିଛନ୍ତି। ଦେଶୀ ଡଂଗାରେ କ୍ଷମତା ଠାରୁ ୫ ଗୁଣ ଲୋକ ପାର ହେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଠେଲାପେଲା ହୋଇ ଭର୍ତ୍ତି ହୋଇ ଯାଉଛନ୍ତି। ଗୋଟିଏ ଡଂଗା ଉପରେ ୪ଟି ପଞ୍ଚାୟତର ୨୨ଟି ଗ୍ରାମର ୫ ହଜାର ଲୋକେ ନିର୍ଭର କରୁଛନ୍ତି। ଭତ୍ତା ଟଂକା ହେଉ ବା ପିଡିଏସ ଚାଉଳ ହେଉ, ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଏହି ଡଂଗା ଉପରେ ହିଁ ନିର୍ଭର କରିଥାନ୍ତି। ସେହିପରି ୨୨ଟି ଗ୍ରାମର ଲୋକେ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ଡଂଗା ହିଁ ଭରସା। ନୂତନ ଡଂଗା ଦେବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି। ଏନେଇ କୋରକୋଣ୍ଡା ବିଡିଓ ସ୍ୱୀକାର କରିଥିଲେ ଯେ ରାଖାଲଗୁଡା ଘାଟରେ ଲୋକ ଅତି ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ତୁରନ୍ତ ସେଠାରେ ଏକ ନୂତନ ଡଂଗା ଦେବା ସହ ଲୋକଙ୍କୁ ଲାଇଫ ଜ୍ୟାକେଟ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ। ତେବେ ପ୍ରଶାସନ ତୁରନ୍ତ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ନଦେଲେ ଭବିଷ୍ୟତରେ ବେଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର