ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଜିଲ୍ଲାର ଦୁର୍ଗମ ଅଂଚଳରେ ରାସ୍ତାର କି ଭଳି ଅବସ୍ଥା ରହିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଆଜି ବି ସ୍ବାଧୀନତାର ସାତ ଦଶନ୍ଧି ପରେ ଗାଁକୁ ପକ୍କା ରାସ୍ତା ହୋଇପାରିଲା ନାହିଁ। ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଗାଁ ହେଉଛି ଖଇରପୁଟ ବ୍ଲକର ସମାକୁଣ୍ଡ। ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ଗାଁକୁ ଲୋକେ ଆଜି ବି ଚାଲି ଚାଲି ହିଁ ଯିବା ଆସିବା କରନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ। 

Advertisment

ମାଓ ଅଧ୍ୟୁଷିତ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ। ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏହାର ପ୍ରମୁଖ କାରଣ ହେଉଛି ଅପନ୍ତରିଆ ରାସ୍ତା। 

ସଦ୍ୟତମ ଘଟଣାକ୍ରମରେ ଆଜି ସମାକୁଣ୍ଡ ଗ୍ରାମର ମଦନ ଶିଶା ନାମକ ବ୍ୟକ୍ତି କୌଣସି ଏକ ରୋଗର ଶିକାର ହୋଇ ଗୁରତର ହୋଇଥିଲେ। ତେବେ ତାଂକୁ ତୁରନ୍ତ ମେଡିକାଲ ନେବାକୁ ପରିବାର ଲୋକେ ଚାହିଁଥିଲେ ମଧ୍ୟ ଗାଁକୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ ବାଧ୍ୟ ହୋଇ ଗାଁ ଠାରୁ ୫ କିଲୋମିଟର ଦୁର ସର୍ଗିଗୁଡ଼ା ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆରେ ବୋହି ନେଇଥିଲେ। ସମାକୁଣ୍ଡ ଗାଁକୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ଡ୍ରାଇଭର ସଫା ସଫା ମନା କରିଦେଇଥିଲା। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ରୋଗୀଙ୍କୁ ବୋହି ଆଣିଥିଲେ।

ଆମ୍ବୁଲାନ୍ସ ନିକଟରେ ରୋଗୀଙ୍କୁ ପହଞ୍ଚାଇବା ପରେ ଖଇରପୁଟ ମେଡିକାଲକୁ ରୋଗୀଙ୍କୁ ନିଆଯାଇଥିଲା। ଏଭଳି ଦୃଶ୍ୟ ପ୍ରାୟତଃ ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳରେ ଦେଖିବାକୁ ମିଳେ। ବହୁ ଘଟଣା ସାମ୍ନାକୁ ଆସିପାରୁନଥିବା ବେଳେ ଏବେ ଗାଁ ଗାଁରେ ଯୁବକମାନଙ୍କ ହାତରେ ମୋବାଇଲ ରହିଥିବାରୁ ସେମାନେ ଏଭଲି ଦୃଶ୍ୟକୁ ଉତ୍ତୋଳନ କରି ସମାଜିକ ଗଣମାଧ୍ୟମରେ ଛାଡି ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କର ଅପାରଗତାକୁ ଲୋକଲୋଚନକୁ ଆଣୁଛନ୍ତି। ସରକାର ଗାଁକୁ ରାସ୍ତା କରାଯାଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାର ଦୁର୍ଗମ ଅଂଚଳରେ ଅସଲ ଚିତ୍ର ଦେଖିବାକୁ ମିଳିବ।

Malkangiri | Health