ଆଲମପାକାରେ ଡଙ୍ଗା ବୁଡ଼ି ଗୁଜବ!

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆଲମପାକାରେ ଗୋଟିଏ ଦେଶୀ ଡଂଗା ବୁଡିଯାଇଥିବା ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଥିଲା। ପ୍ରକାଶ ଥାଉକି ଆଜି ଆଲମପକାରେ ସାପ୍ତାହିକ ହାଟ ଥିଲା। ତେଣୁ ବହୁ ଦେଶୀ ଡଙ୍ଗା ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ନେଇ ଜାନବାଇ ଘାଟରୁ ବାହାରିଥିଲା। ବାଇକ, ସାଇକଲ ସହ ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ହୋଇ ଡଙ୍ଗା ଗୁଡିକ ଆଲମପକା ଯାଇଥିଲା। ତେବେ ସେଥିମଧ୍ୟରୁ ଗୋଟିଏ ଡଙ୍ଗା ମଝି ନଈରେ ବୁଡି ଯାଇଥିବା ନେଇ ହଠାତ୍‌ ଖବର ପ୍ରଚାର ହୋଇଯାଇଥିଲା। କିନ୍ତୁ କେଉଁ ଡଙ୍ଗା ବୁଡିଲା, ସେଥିରେ କେତେଜଣ ଯାଉଥିଲେ ସେନେଇ କେହି କିଛି କହିପାରି ନଥିଲେ। ଏନେଇ ପୁଲିସ ନିକଟରେ ବି ଖବର ପହଞ୍ଚିଥିଲା। ବିଳମ୍ବ ନକରି ପୁଲିସ ତତ୍ପରତା ପ୍ରକାଶ ପାଇ କରିଥିଲା। ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରିଥିଲା। ପୁଣି ଏଠାରେ ଦିନ ବେଳା ମଧ୍ୟ ନକ୍ସଲ ବିଚରଣ କରନ୍ତି। ତେଣୁ ଡଂଗାକୁ ନକ୍ସଲ ଅପହରଣ କରିନେଇଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏଭଳି ଗୁଜବ ଯୋଗୁଁ ଡଂଗାରେ ହାଟକୁ ଯାଇଥିବା ଲୋକଙ୍କ ପରିବାର ସଦସ୍ୟ ଚିନ୍ତାରେ ପଡି ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଘାଟରେ ଡଙ୍ଗା ଫେରିବା ବାଟକୁ ଚାହିଁ ବସିଥିଲେ। ସଂଧ୍ୟାରେ ସବୁ ଡଙ୍ଗା ସୁରକ୍ଷିତ ଭାବେ ଫେରିବାରୁ ଲୋକେ ଆଶ୍ୱସ୍ତ ହୋଇଥିଲେ। ଯାହାଫଳରେ କେହି ଜଣେ ଏଭଳି ମିଥ୍ୟା ଗୁଜବ ପ୍ରଚାର କରିଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଏଭଳି ଖବର ପ୍ରଚାର କରି ଅଯଥା ଆତଙ୍କ ସୃଷ୍ଟି କରାଯାଉଥିବାରୁ ସାଧାରଣରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର