ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ଗତ କିଛି ଦିନ ତଳେ ଦୁର୍ଦାନ୍ତ ମାଓ ନେତା ବାରସେ ଦେବା ନିଜର ୨୬ ଜଣ ସାଥୀଙ୍କ ସହ ଆତ୍ମସମର୍ପଣ କରିଛି। ଏହା ପରେ ଯବାନଙ୍କ ଟାର୍ଗେଟରେ ରହିଛି ମାଓ ନେତା ପାପା ରାଓ ଓରଫ ସୁନାମ ଚଦରାୟା ଓରଫ ମଙ୍ଗୁ। ତେବେ ପାପା ରାଓ ନାମରେ ସେ ବେଶ ପରିଚିତ ଜଂଗଲରେ। ବୟସ ଏବେ ୫୮ ହୋଇଥିବା ବେଳେ ସରକାର ପାପା ରାଓ ନାମରେ ୫୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଛନ୍ତି।

Advertisment

Mkg naxal leader Papa Rao target

୨୦୨୧ ପର୍ଯ୍ୟନ୍ତ ପାପା ରାଓ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଦସ୍ୟ ରହିଥିବା ବେଳେ ଏବେ ସେ ପଶ୍ଚିମ ବସ୍ତରର ଡିଭିଜନାଲ ସଂପାଦକ ଭାବେ ଦାୟୀତ୍ବ ନେଉଛି। ଗତ ୪ ଦଶନ୍ଧି ଧରି ପାପା ରାଓ ଛତିଶଗଡର ବିଜାପୁର ଜିଲ୍ଲାରେ ସକ୍ରିୟ ରହିଛି। ଏବେ ଡିଆରଜି ଯବାନଙ୍କ ପାଇଁ ପାପା ରାଓ ମୁଖ୍ୟ ସମସ୍ୟା ହୋଇଛି। ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା ମୃତ କିମ୍ବା ଜୀବିତ ଧରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଡିଆରଜି ଯବାନ ଜଂଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ କହିବା ଅନୁଯାୟୀ ଏବେ ବି ବିଜାପୁର ଜିଲ୍ଲାର ଘଂଚ ଜଂଗଲରେ ୧୦୦ ସଶସ୍ତ୍ର ନକ୍ସଲ ବୁଲୁଛନ୍ତି।

ଆତ୍ମସମର୍ପଣ ପାଇଁ ପରାମର୍ଶ

ଛତିଶଗଡ ପୁଲିସର କହିବା ଅନୁଯାୟୀ ପାପା ରାଓକୁ ଆତ୍ମସମର୍ପଣ କରିବାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। କିନ୍ତୁ ସେ ପୁଲିସ ସହ ସେ ଲୁଚକାଳି ଖେଳୁଛି ବୋଲି କୁହାଯାଇଛି। ପୁଲିସ ବିଭାଗର ଉଚ୍ଚସ୍ତରୀୟ ବୈଠକରେ ପାପା ରାଓକୁ ଟାର୍ଗେଟ କରି ଅପରେସନକୁ ଜୋରଦାର କରାଯିବ ବୋଲି କୁହାଯାଇଛି। ଘଂଚ ଜଂଗଲରେ ଲ୍ୟାଣ୍ଡମାଇନ ଲଗାଇ ବିସ୍ଫୋରଣ କରି ଯବାନଙ୍କୁ ମୃତାହତ କରିବା,ଗୁଳିବିନିମୟ କରିବା ସହ ପୁଲିସକୁ କିପରି ଜଂଗଲରେ ଧକ୍କା ଦେଇ ହେବ ସେନେଇ ତାର ପ୍ରଚୁର ବୁଦ୍ଧି ବୋଲି ପୁଲିସ କହିଛି। ମାତ୍ର ଆଉ ୧୫ ଦିନ ରହିଛି ଟାର୍ଗେଟ ହାସଲ କରିବାକୁ। ପ୍ରକାଶ ଥାଉକି ଗତ ବର୍ଷ ୯୯ଟି ଗୁଳିବିନିମୟ ହୋଇଥିବା ବେଳେ ୨୫୬ ନକ୍ସଲ ନିହତ ହୋଇଛନ୍ତି। ଏଥିସହ ୮୮୪ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ନକ୍ସଲ ଗୋଟିଏ ବି ପୁଲିସର ହତିଆର ଲୁଟି ପାରିନାହାନ୍ତି। ତେବେ ପୁଲିସ ଏହି ଟାର୍ଗେଟ ହାସଲ କରି ପାପା ରାଓକୁ ମୃତ କିମ୍ବା ଜୀବିତ ପାଇପାରୁଛି କି ନାହିଁ ଦେଖିବାକୁ ବାକି ରହିଲା।