ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗରିଆବନ୍ଦ ଜିଲ୍ଲାର ମେନପୁର ଥାନା ଅଂଚଳର ବଡେଗୋବରା ନିକଟସ୍ଥ ସାଂପସାରୀ ଜଂଗଲରେ ମାଓବାଦୀଙ୍କ ଦ୍ବାରା ଡମ୍ପ କରି ରଖାଯାଇଥିବା ନଗଦ ଟଂକା, ବନ୍ଧୁକ, ବିସ୍ଫୋରକକୁ ପୁଲିସ ଜବତ କରିଛି। ପ୍ରତିଦିନ ଭଳି ଗତକାଲି ମଧ୍ୟ ଜିଲ୍ଲା ପୁଲିସ ସମେତ ଡିଆରଜି,ଏସଟିଏଫ ମେନପୁର ଥାନା ଅଂଚଳରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲା। 

Advertisment

ତେବେ ଜଂଗଲରେ ମାଓବାଦୀ ଡମ୍ପ କରି ବହୁ ହତିଆର ଏବଂ ନଗଦ ଟଂକା ଲୁଚାଇ ରଖିଥିବା ଆତ୍ମସମର୍ପଣ କରିଥିବା ନକ୍ସଲ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅପରେସନ କରୁଥିବା ଯବାନ ସେହି ଅଂଚଳରେ ଖୋଜାଖୋଜି ଆରମ୍ଭ କରିଥିଲେ। ଜଂଗଲର ଗୋଟିଏ ସ୍ଥାନରେ ନକ୍ସଲ ଗାତ ଖୋଳି ବନ୍ଧୁକ,ବିସ୍ଫୋରକ ଏବଂ ନଗଦ ଟଂକା ପୋତି ଥିଲେ। ତୁରନ୍ତ ଯବାନ ସେହି ସ୍ଥାନରୁ ବନ୍ଧୁକ,୩୩ଟି ଜୀବନ୍ତ ଗୁଳି, ସ୍ପାଇକ୍‌ ରୋଡ,୩୨ଟି ବିଜିଏଲ ରୋଲ, ଲ୍ୟାପ୍‌ଟପ୍‌, ୨ଟି ମୋବାଇଲ, ୧୧ ଏସଏଲଆର ରାଉଣ୍ଡ, ୪୧ ୩୦୩ ରାଉଣ୍ଡ,୨୬ଟି ବାରା ବୋର ଜୀବନ୍ତ ଗୁଳି ଇତ୍ୟାଦି ଜବତ କରିଥିଲେ। ଏଥିସହ ସେହି ଡମ୍ପରୁ ନଗଦ ୪୬ ଲକ୍ଷ ୩୧ ହଜାର ୫୦୦ ଟଂକା ଜବତ କରିଥିଲେ।

ଗତ ଦୁଇ ବର୍ଷ ହେଲେ ଗରିଆବନ୍ଦ ଏବଂ ଧନତରୀ ଅଂଚଳରେ ନକ୍ସଲ ଗତିବିଧି ବଢିଥିଲା। ତେଣୁ ଏହି ଅଂଚଳରେ ଲଗାତାର ଅପରେସନ କରାଯାଉଥିଲା। ଯାହାଫଳରେ ବହୁ ନକ୍ସଲ ଆତ୍ମସମର୍ପଣ କରିଥିଲେ। ତେବେ ଏହି ଅଂଚଳରେ ଏବେ ସୁଦ୍ଧା ୧ କୋଟି ୮ ଲକ୍ଷ ଟଂକା ଜବତ କରାଯାଇଥିବା ସୂଚନା ମିଳିଛି।