ସେବାଶ୍ରମ ଛାତ୍ର ମୃତ୍ୟୁ ଘଟଣା ୩ ନିଲମ୍ବିତ, ୨ ବହିଷ୍କୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ଘଟିଥିବା ଅଭାବନୀୟ ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ଜଣ ରୋଷେୟାଙ୍କ ବହିଷ୍କୃତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମରେ ଡିବ୍ଲୁଓ ପ୍ରଦୀପ୍ତ କୁମାର ପଣ୍ଡା, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଆଧାର କରି ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ପିଏ ଆଇଟିଡିଏ ଶ୍ରୀ ଗଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗଂଗଲା ସେବାଶ୍ରମର ପ୍ରଧାନ ସେବକ ସଂଘମିତ୍ରା କରସୁଧା ପଟନାୟକ, ସହକାରୀ ସେବକ ପତିତପାବନ ଜେନା ଏବଂ ମେଟ୍ରୋନ ସୁମିତ୍ରା ବେହେରାଙ୍କୁ ନିଲମ୍ବିତ କରିଥିବା ବେଳେ ଦୁଇ ଜଣ ରୋଷେୟା ଲକ୍ଷ୍ମୀଧର କୋପେ ଏବଂ କମଳଲୋଚନ ସୁଆରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଗଂଗଲା ସେବାଶ୍ରମରେ ଶୌଚାଳୟର ବ୍ୟବସ୍ଥା ନଥିବାରୁ କିଛି ପିଲା ସକାଳୁ ଶୌଚ ପାଇଁ ନିକଟସ୍ଥ ବନ୍ଧକୁ ଯାଇଥିଲେ। ତେବେ ସେଠାରେ ୬ ବର୍ଷର ଅନାଥ ଶିଶୁ ଅମିତ ପାଣିରେ ବୁଡି ଯିବାରୁ ମୃତ୍ୟୁବରଣ କରିଥିଲା। ଏହି ଘଟଣା ପରେ ବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଉତ୍ତେଜନାକୁ ଶାନ୍ତି କରିଥିଲେ। ତଦନ୍ତ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ଶିଶୁ ମୃତ୍ୟୁର ତଦନ୍ତ ହୋଇ ନଥିଲା, ବିଦ୍ୟାଳୟରେ ହେଉଥିବା ଅନିୟମିତତା ସଂପର୍କରେ ମଧ୍ୟ ତଦନ୍ତ କରିଥିଲେ ପ୍ରଶାସନିକ ଅଧିକାରୀ ଏବଂ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର