ରକ୍ତ କର୍କଟରେ ପୀଡିତା ଶ୍ରୁତି:ସହାୟତା ପାଇଁ କଲେ ନିବେଦନ

ମାଲକାନଗିରି: ଶ୍ରୁତି କଚିମ। ବୟସ ପାଖାପାଖି ୧୨ ବର୍ଷ। ଷଷ୍ଠ ଶ୍ରେଣୀର ଛାତ୍ରୀ। ମାଲକାନଗିରି ଜିଲ୍ଲା ଏମଭି-୭୯ ନିଟସ୍ଥ ନୂଆଗୁଡା ଗ୍ରାମର ରତ କଚିମ ଏବଂ ଉଆସୀ କଚିମଙ୍କ ଏକମାତ୍ର ଅଲିଅଳି ଝିଅ। ଏବେ ସେ ରକ୍ତ କର୍କଟରେ ପୀଡିତ। ଦୁଇ ମାସ ତଳେ ବାପା, ମା’ ଝିଅକୁ ଏହି ମାରାତ୍ମକ ରୋଗ ହୋଇଥିବା ଜାଣିବାକୁ ପାଇଲେ। ନିଜ ପାଖରେ ଯାହା ଟଂକା ଥିଲା ସେସବୁ ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ କରିସାରିଲେଣି। ବହୁ ଡାକ୍ତରଙ୍କୁ ଦେଖାଇ ସାରିଲେଣି। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଉନାହିଁ। ଏଭଳି ପରିସ୍ଥିତିରେ ଶ୍ରୁତି ଅତି ନମ୍ରତାର ସହ ନିବେଦନ କରିଛି ଯେ, ସେ ବଞ୍ଚିବାକୁ ଚାହୁଁଛି। ତେବେ ବାପା, ମା, ଝିଅର ଏହି ନିବେଦନକୁ ଶୁଣିବା ପରେ ଛଳଛଳ ଆଖିରେ ନିଜ ଅକ୍ଷମତା ପ୍ରକାଶ କରୁଛନ୍ତି। ବାପା ରତ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା’ ଗୃହିଣୀ। ଦୁଇ ବେଳା ଖାଇବାକୁ ଟଂକା ଯୋଗାଡ କରିପାରୁ ନଥିବା ରତ ଝିଅର ଚିକିତ୍ସା ପାଇଁ ଟଂକା ଯୋଗାଡ କରିବାକୁ ମୁସକିଲ ହେଉଥିବା ପ୍ରକାଶ କରିଥିଲେ। ଦୁଇ ମାସ ତଳେ ଝିଅର ରୋଗ ସଂପର୍କରେ ଜାଣିବାକୁ ପାଇଥିଲେ।

ଏକମାତ୍ର ଝିଅକୁ ପାଇ ଏହି ଦଂପତି ବେଶ ଖୁସିରେ ଦିନ କାଟୁଥିଲେ। ବର୍ତମାନ କିନ୍ତୁ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଘରଟି ସବୁବେଳେ ଶୂନଶାନ ଲାଗୁଛି। ଯେ କେହି ପରଚିତ ଯାହା କହିଲେ ସବୁ କଲେ ବାପା, ମା’। ତଥାପି କୌଣସି ସୁଫଳ ମିଳି ନଥିବା ବେଳେ ଝିଅର ଚିକିତ୍ସା ପାଇଁ ବହୁତ ଟଂକା ଦରକାର ପଡୁଥିବା ଡାକ୍ତର କହିବା ପରେ ସମସ୍ତେ ଭାଙ୍ଗି ପଡିଛନ୍ତି। ଶ୍ରୁତିର ପାଠ ପଢାରେ ବେଶ ଆଗ୍ରହ। ସେ ପାଠ ପଢିବାକୁ ଚାହେଁ। ମା’ ଉଆସୀଙ୍କ କହିବା ହେଲା ଝିଅ ଶ୍ରୁତି ମୋତେ ମୋ କାମରେ ସହଯୋଗ କରିବ ବୋଲି ଭାବିଥିଲି। କିନ୍ତୁ ଭଗବାନଙ୍କ ଇଛା ଅନ୍ୟ ପ୍ରକାର ହେଲା। ମୋ ସ୍ୱାମୀ ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳେ। ବହୁ କଷ୍ଟରେ ଜୀବନ ବିତାଉଥିବା ବେଳେ ଭଗବାନ ଆମ ଉପରେ ଦାଉ ସାଧୁଛନ୍ତି। ଝିଅର ଏଭଳି ଅବସ୍ଥା ଦେଖି ଆମେ କିଛି କରିପାରୁ ନାହୁଁ। ଧାର କରଜ କରି ମଧ୍ୟ ଝିଅର ଚିକିତ୍ସା କରାଉଛୁ। ସରକାରଙ୍କ ତରଫରୁ ଯଦି ସହଯୋଗ ମିଳିଥାନ୍ତା ତେବେ ମୋ ଝିଅ ଶ୍ରୁତି ବଂଚିଯାଇଥାନ୍ତା ବୋଲି ପରିବାର ଲୋକେ ନେହୁରା ହୋଇ କହିଛନ୍ତି। ତେଣୁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ଶ୍ରୁତିକୁ ସହଯୋଗର ହାତ ବଢାଇବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର