ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରି ଅଭିଯୋଗ : ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିସନ୍

ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ । ଗଣାମାଧ୍ୟମରେ ବାହାରିଥିବା ଖବର ଆଧାରରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି କମିସନ । ମାର୍ଚ୍ଚ ୩୦ ସୁଦ୍ଧା ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମ୍ବ୍ରମ୍ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି ଏବଂ କୌଣସି ଆଇନ୍ ଉଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉପରେ ଥାର୍ଡ ଡିଗ୍ରିର ବ୍ୟବହାର କରାଯାଇନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ସେପଟେ ଏହି ମାମଲାକୁ ଗୁରୁତ୍ବର ସହ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ  ଘଟଣାର ତଦନ୍ତ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଏକ ଚୋରି ଅଭିଯୋଗରେ ୪ ଜଣ ନାବାଳକଙ୍କୁ ଥାନାକୁ ଆଣିଥିଲା ପୁଲିସ ଏବଂ ଥାନା ଭିତରେ ୩ ଦିନ ଧରି ଥାନାରେ ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର