ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମଗୁଡ଼ିକରେ ଆଦିବାସୀ ପରିବାର କିପରି ଚଳୁଛନ୍ତି, ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ନିଜର ସ୍ବଳ୍ପ ଜମିରେ ଚାଷ କରି ଯାହା ରୋଜଗାର କରୁଛନ୍ତି ତାହା ବର୍ଷେ ମଧ୍ୟ ଯାଉ ନାହିଁ। ଦିନ ଦିନ ଧରି ବହୁ ପରିବାର ଭୋକରେ ଦିନ କାଟୁଛନ୍ତି। ଏହାର ଖବର ନା ପ୍ରଶାସନ ନିକଟରେ ରହିଛି ନା ସରକାରଙ୍କ ନିକଟରେ। ସେହିପରି ଜିଲ୍ଲାରେ ବହୁ ଅନାଥ ଶିଶୁ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। କିଏ ଦେଲେ ତ ଖାଇଲେ ନଚେତ ଭୋକରେ ଶୋଇଲେ। ଏହିଭଳି ଏକ ଦୁଃଖଦ ତିନି ଅନାଥ ଭଉଣୀଙ୍କ କାହାଣୀ ଆମେ ଏଠାରେ କହୁଛୁ।

Advertisment

ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳ ବେଶ ଜଣାଶୁଣା।ଏହି ଅଂଚଳକୁ ନକ୍ସଲ ଦୀର୍ଘ ବର୍ଷ ଧରି ନିଜ କବଜାକୁ ନେଇ ଏହି ଅଂଚଳର ବିକାଶ କରାଇନଥିଲେ।ଏହି ଗ୍ରାମର ଲୋକେ କାମଧନ୍ଦା ନପାଇ ବହୁ କଷ୍ଟରେ ନିଜର ପିଲା ଛୁଆଙ୍କ ଜୀବନ ବଞ୍ଚାଉଥିଲେ।ଏହି ସ୍ବାଭିମାନ ଅଂଚଳର ଯଡାମ୍ବ ପଞ୍ଚାୟତର ଦୁର୍ଗମ ଗ୍ରାମ ହେଉଛି ନୀରାରାମ। ନୀଳାରାମ ଗ୍ରାମକୁ ଯିବାକୁ ହେଲେ ପାଦରେ ଚାଲିଚାଲି ଯିବାକୁ ହୁଏ। ଏହି ଗ୍ରାମରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଆଜି ବି ଗାଁକୁ ପକ୍କା ରାସ୍ତା ନାହିଁ କି ପିଇବା ପାଣି ନାହିଁ।ଏହି ଗ୍ରାମରେ ସିକୁନ ଖିଲ ଓ ପତ୍ନୀ ସମଲା ଖିଲ ବାସ କରନ୍ତି। ଏହି ଦମ୍ପତିଙ୍କର ତିନୋଟି ସନ୍ତାନ। ସିକୁନ କୁଲି ମଜୁରି କରି ପରିବାରର ପ୍ରତିପୋଷଣ କରୁଥିଲେ। କିନ୍ତୁ ହଠାତ ଛୋଟ ଝିଅ ଜନ୍ମ ହେବାକୁ କିଛି ଦିନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏକ ଅଜଣା ରୋଗ ତାଙ୍କର ମୃତ୍ୟୁର କାରଣ ହୋଇଥିଲା। ପତ୍ନୀ ସ୍ବାମୀକୁ ହରାଇ ଭାଙ୍ଗିପଡିଥିଲେ। ଦୁଇ ଝିଅ ଏବଂ ପେଟରେ ଗୋଟିଏ ସନ୍ତାନକୁ ନେଇକିପରି ବଞ୍ଚିବେ ଚିନ୍ତା କରିପାରୁନଥିଲେ।ତେବେ ତୃତୀୟ ସନ୍ତାନ ମଧ୍ୟ କନ୍ୟା ରୂପ ନେଇ ଜନ୍ମ ହେଲା। ତିନି ଝିଅଙ୍କ ତୁଣ୍ଡରେ ମୁଠାଏ ଦାନା ଯୋଗାଡ କରିବା ପାଇଁ ମାଆ ସମଲାକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା।

ବହୁ ଚେଷ୍ଟା କରି ପିଲାଙ୍କୁ ବଡ଼ କରୁଥିଲା। କିନ୍ତୁ ଆଉ ପାରିଲା ନାହିଁ। ଦିନେ ସେ ବିଷ ପିଅ ଆତ୍ମହତ୍ୟା କଲା। ବାପା ମାଆଙ୍କୁ ହରାଇ ତିନି ପିଲା ଅନାଥ ହେଲେ। ଘର ବୋଲି କିଛି ନାହିଁ। କଣ କରିବେ କିଛି ଭାବିପାରୁନଥିଲେ ତିନି ଝିଅ। ତେବେ ଗାଁ ବାସିନ୍ଦା ଏମାନଙ୍କର ସାହା ହେଲେ। କେବେ କିଏ ଖାଇବାକୁ ଦେଲେ ଏହି ତିନି ଝିଅ ସେହି ଦିନ ଖାଇ ଶୋଇପଡୁଥିଲେ। ତେବେ ଏବେ ବଡ଼ ଝିଅ ମୁତାଇକୁ ୧୩ ବର୍ଷ, ମଝିଆଁ ଝିଅ ଡାଳିମାକୁ ୯ ବର୍ଷ ଏବଂ ସାନ ଝିଅ ଅନିତାକୁ ୭ ବର୍ଷ। ଗାଁର ଜଣେ ଲୋକଙ୍କ ଗୁହାଳ ଘରେ ଏହି ତିନି ଭଉଣୀ ଭଗବାନଙ୍କୁ ଆଦରି ପଡି ରହିଛନ୍ତି। ଘରେ ନା କଂସାବାସନ ଅଛି ନା ପିନ୍ଧିବାକୁ ଭଲ କପଡା ଅଛି। ଗାଁର କିଛି ଲୋକ ପୁରୁଣା ଛିଣ୍ଡା କପଡା ଦେଇଛନ୍ତି ତାକୁ ହିଁ ଏମାନେ ପିନ୍ଧୁଛନ୍ତି। ନିଜ ପାଖେ ଗୋଟିଏ ବି ଫ୍ରକ ନାହିଁ। ମିଳିଥିବା ପୁରୁଣା ଛିଣ୍ଡା କପଡାକୁ ତିନି ଭଉଣୀ ଅଦଳ ବଦଳ କରି ପିନ୍ଧିଥାନ୍ତି। ବଡ ଝିଅ ନାବାଳିକା ହେଲେ ମଧ୍ୟ ପର ଘରେ କାମ କରି ଦୁଇ ଭଉଣୀର ପେଟରେ ଦାନା ଯୋଗାଡ କରୁଛି। କେବେ କେବେ ଖାଇବାକୁ ନମିଳିଲେ କାହାରି ନିକଟରେ ଫେରାଦ ହେଉନାହାନ୍ତି ,ବରଂ ସେମିତି ଭୋକିଲା ଶୋଇପଡନ୍ତି। ପୁଣି ଆର ଦିନ ଖାଇବାକୁ ଯୋଗାଡ କରିଥାନ୍ତି।

ଗ୍ରାମବାସୀ କିନ୍ତୁ ଏହି ତିନି ପିଲାଙ୍କୁ ନିଜର କରି ରଖିଛନ୍ତି। ଯିଏ ଯାହା ପାରିଲେ କେବେ କେବେ ଖାଇବାକୁ ଦିଅନ୍ତି। ସାନ ଝିଅ ବାପା ମାଆଙ୍କୁ ମନେ ପକାଇ ସବୁବେଳେ କାନ୍ଦେ। କିନ୍ତୁ ବଡ଼ ଭଉଣୀ ତାକୁ ବୁଝାଇ ଦେଇ ପୁଣି ଚୁପ କରିଦିଏ। ବାପା ମାଆ କାମକୁ ଯାଇଛନ୍ତି ଫେରିବେ ବୋଲି ତାକୁ ଆଶ୍ବାସନା ଦିଏ। କିନ୍ତୁ ସାନ ଝିଅ ଜାଣିସାରିଲାଣି ଯେ ବାପା ମାଆ ଆଉ ଫେରିବେ ନାହିଁ। ଏହି ତିନି ଅନାଥ ଝିଆଙ୍କୁ କୌଣସି ବଦାନ୍ୟ ବ୍ୟକ୍ତି, ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ କୌଣସି ଅନାଥଶ୍ରମ କିମ୍ବା ହଷ୍ଟେଲରେ ପାଠ ପଢିବା ପାଇଁ ରଖାଗଲେ ହୁଏତ ସେମାନେ ନିଜ ବାପା ମାଆଙ୍କୁ ଭୁଲିଯିବେ ଏବଂ ପୁଣି ନିଜର ଭବିଷ୍ୟତ କଥା ଚିନ୍ତା କରିବେ।