‘ସୁକୁମା ମାଓ ହାମ୍‌ଲାର ପ୍ରତିଶୋଧ ନେବୁ’ କହିଲେ ବର୍ତ୍ତି ଯାଇଥିବା ୨ଯବାନ

ନୂଆଦିଲ୍ଲୀ : ମଙ୍ଗଳବାର ମଧ୍ୟାହ୍ନରେ ଛତିଶଗଡ଼ର ସୁକୁମା ଜିଲ୍ଲାରେ ମାଓବାଦୀମାନଙ୍କ ଆକ୍ରମଣରେ ୯ଜଣ ଯବାନ ସହିଦ୍‌ ହୋଇଥିଲେ । ସହିଦ୍‌ ହୋଇଥିବା ୯ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ଥିବା ବେଳେ ଆଜି ତାଙ୍କ ମର ଶରୀରକୁ ତାଙ୍କ ଜନ୍ମଭୂମି ରେବଣା ନୂଆଁଗାଁରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି । ଏହି ମାଓ ହାମ୍‌ଲାରୁ ବର୍ତ୍ତି ଯାଇଥିବା ଦୁଇ ଯବାନ ମଦନ ଏବଂ ରାଜେଶଙ୍କ ଅବସ୍ଥା ଏବେ ଧୀରେ ଧୀରେ ସୁଧୁରୁଥିବା ବେଳେ ସେମାନେ ସୁସ୍ଥ ହେବା ପରେ ଏହି ଆକ୍ରମଣର ପ୍ରତିଶୋଧ ନେବେ ବୋଲି କହିଛନ୍ତି ।
ସୂଚନା ମୁତାବକ, କମ୍ବିଂ ଅପରେସନ ପାଇଁ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇ ମାଓବାଦୀମାନେ ସୁକୁମାର ବସ୍ତର ଅଞ୍ଚଳରେ ଲ୍ୟାଣ୍ଡମାଇନ ନିରୋଧୀ ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଲ୍ୟାଣ୍ଡମାଇନ ନିରୋଧୀ ଗାଡ଼ିରେ ୧୧ଜଣ ସିଆରପିଏଫ୍‌ ଯବାନ ଥିବା ବେଳେ ରାଜେଶ ଏବଂ ମଦନ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ଜଣା ପଡ଼ିଛି । ଡ଼ାକ୍ତରଖାନାରେ ସେମାନଙ୍କ ଚେତା ଫେରିବା ପରେ ଘଟଣା ବିଷୟରେ ବିସ୍ତାର ଭାବେ କହିଛନ୍ତି ଦୁଇ ଯବାନ ।

“ବିସ୍ଫୋରଣରୁ ବର୍ତ୍ତିବା ପାଇଁ ଲ୍ୟାଣ୍ଡମାଇନ ନିରୋଧୀ ଗାଡ଼ି ବ୍ୟବହାର କରାଯାଇଥାଏ । କିନ୍ତୁ ସୁକୁମା ବିସ୍ଫୋରଣରେ ଏହି ଗାଡ଼ି ଭୁଲ ପ୍ରମାଣିତ ହୋଇଛି । ଯାହା ସୁକୁମାରେ ଘଟିଗଲା ତାହା କେବେ ହେଲେ ଘଟିବାର ନଥିଲା । ଏହି ବିସ୍ଫୋରଣରୁ ଲ୍ୟାଣ୍ଡମାଇନ ନିରୋଧୀ ଗାଡ଼ି କୌଣସି କାମକୁ ନୁହଁ ବୋଲି ପ୍ରମାଣିତ ହୋଇଛି” ବୋଲି ମଦନ କହିଛନ୍ତି । “ମୁଁ ଏବଂ ମୋ ସାଥୀ ଯବାନମାନେ ବେସ୍‌କ୍ୟାମ୍ପକୁ ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପୂର୍ବରୁ ଆମେ ସେ ଅଞ୍ଚଳରେ କୌଣସି ମାଓବାଦୀମାନଙ୍କୁ ଦେଖିବାକୁ ପାଇ ନଥିଲୁ । ଯେତେବେଳ ବିସ୍ଫୋରଣ ହେଲା ସେତେବେଳେ ମାଓବାଦୀମାନେ ବାହାରକୁ ବାହାରି ଆସିବା ସହ ଆମ ଉପରକୁ ଗୁଳିବର୍ଷା କରିଥିଲେ” ବୋଲି ମଦନ କହିଛନ୍ତି ।କୋହଭରା କଣ୍ଠରେ ସହିଦ୍‌ ହୋଇଥିବା ସାଥୀ ଯବାନମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆମେ ଏହାର ପ୍ରତିଶୋଧ ନେବୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର