ମାଲକାନଗିରି: ସୀମାନ୍ତ ଛତିଶଗଡରେ ଲଗାତାର ନକ୍ସଲ ଦମନ ନେଇ ଚଢାଉ ଜାରି ରହିଛି। ଗତ କିଛି ମାସ ମଧ୍ୟରେ ବହୁ ନକ୍ସଲଙ୍କୁ ପୁଲିସ ଏନକାଉଣ୍ଟରରେ ମାରିଛି। ତେବେ ଇତିମଧ୍ୟରେ ସୁପ୍ରିମକୋର୍ଟରେ ହୋଇଥିବା ରିଡି ପିଟିସନର ଶୁଣାଣି କରି ଏକ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ସେଣ୍ଟ୍ରାଲ କମିଟି ମେମ୍ବର କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କ ଶବକୁ ସୁରକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ଯେତେବେଳ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରାନଯାଏ, ସେତେବେଳ ପର୍ଯ୍ୟନ୍ତ ଶବର ଅନ୍ତିମ ସଂସ୍କାର କରାନଯାଉ। ଜଷ୍ଟିସ ଦିପଙ୍କର ଦତ୍ତ ଏବଂ ଜଷ୍ଟିସ ଏ.ଜି ମସିହଙ୍କ ଖଣ୍ଡପୀଠ ନିର୍ଦେଶ ଦେଇ କହିଛନ୍ତି ଯେ ଏଭଲି କୌଣସି ଅଭିଯୋଗ ଆସିଲେ ଏହାର ଗୁଣ ଓ ଦୋଷକୁ ନଦେଖି ଏହାର ତଦନ୍ତ କରାଯିବା ଉଚିତ। ପୁଣି ଏହି ଖଣ୍ଡପୀଠ କହିଛନ୍ତି ଯେ ଦଶହରା ସରିବା ପରେ ହାଇକୋର୍ଟ ଏହାର ତୁରନ୍ତ ବିଚାର କରୁ। ମୃତ ନକ୍ସଲ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ପୁଅ ରାଜା ଚନ୍ଦ୍ରା ଏହି ରିଟ ପିଟିସନ ଦାଖଲ କରିଛନ୍ତି। ସେ ହାଇଦ୍ରାବାଦର ନଲସର ୟୁନିଭରସିଟି ଅଫ ଲ ମହାବିଦ୍ୟାଳୟରେ କାର୍ଯ୍ୟରତ।
ସେ ଅଭିଯୋଗ କରିଛନ୍ତି ଯେ ତାଂକ ବାପାଙ୍କୁ ପୁଲିସ ଧରିବା ପରେ ନିର୍ଯାତନା ଦେଇଛି। ଏଥିସହ ତାଂକୁ ଜଂଗଲରେ ନେଇ ମିଥ୍ୟା ଏନକାଉଣ୍ଟର କରିଛି। ଆଉ ଏବେ ପୁଲିସ ଏହି ମାମଲାକୁ ରଫାଦଫା କରିବା ସହ ତୁରନ୍ତ ଶବକୁ ସତ୍କାର କରିବାକୁ ଚାହୁଁଥିଲା। ସେ ଏହି ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ବେଳେ ଛତିଶଗଡ ପୁଲିସକୁ ଭର୍ତ୍ତି କରାନଯାଉ ଏବଂ ପୁନଃ ଶବ ବ୍ୟବଛେଦ କରାଯାଉ। ପୁଅ ପୁଣି କୋର୍ଟକୁ ଅନୁରୋଧ କରିଛନ୍ତି ଯେ ତଦନ୍ତ ସରିବା ପର୍ଯ୍ୟନ୍ତ ତାଂକ ବାପାଙ୍କ ଶବକୁ ସୁରକ୍ଷିତ ରଖାଯାଉ।
ପ୍ରକାଶ ଥାଉକି ଗତ ୨୨ ତାରିଖରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ନିହତ ହୋଇଥିଲେ। ସେମାନେ ହେଲେ କଟ୍ଟା ରାମଚନ୍ଦ୍ର ରେଡ୍ଡୀ ଏବଂ କାଦରି ସତ୍ୟନାରାୟଣ ରେଡ୍ଡୀ। ମୃତ ରାମଚନ୍ଦ୍ର ରେଡ୍ଡୀଙ୍କ ଉପରେ ସାତୋଟି ରାଜ୍ୟରେ ସାତ କୋଟି ଟଂକାର ପୁରସ୍କାର ରହିଥିବା କଥା ପୁଲିସ ତରଫରୁ ଓକିଲ କୋର୍ଟରେ ପ୍ରକାଶ କରିଛନ୍ତି। ପୁଣି ସେ କୋର୍ଟକୁ କହିଛନ୍ତି ଯେ ସତ୍ୟନାରାୟଣ ରେଡ୍ଡୀଙ୍କ ଶବକୁ ପରିବାର ଲୋକେ ନେଇ ଅନ୍ତିମ ସଂସ୍କାର କରିଦେଇଛନ୍ତି। ଏବେ ମଧ୍ୟ ରାମଚନ୍ଦ୍ର ରେଡ୍ଡୀଙ୍କ ଶବ ହସପିଟାଲରେ ରହିଛି। ତାଂକର ଶବ ବ୍ୟବଛେଦର ଭିଡିଓ ମଧ୍ୟ ରହିଥିବା ସେ କୋର୍ଟକୁ କହିଛନ୍ତି। ତଦନ୍ତ ସରିବା ପର୍ଯ୍ୟନ୍ତ ଶବକୁ ସୁରକ୍ଷିତ ରଖିବା ପାଇଁ କୋର୍ଟର ଆଦେଶ ପାଳନ କରାଯାଉ ବୋଲି କୁହାଯାଇଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/nJZkuLUi6DPkyOf3zJeZ.jpg)