ବିଚ୍ଛିନ୍ନାଞ୍ଚଳରେ ଆରମ୍ଭ ହେବ ହଳଦୀ ଚାଷ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ପ୍ରବଳ ଗଂଜେଇ ଚାଷ କରାଯାଏ। ଏହି ଜିଲ୍ଲାରୁ ହିଁ ଗଂଜେଇ ବାହାର ରାଜ୍ୟ ତଥା ବିଦେଶକୁ ରପ୍ତାନୀ କରାଯାଇଥାଏ। ବିଶେଷକରି ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ପ୍ରଚୁର ମାତ୍ରାରେ ଗଂଜେଇ ଚାଷ କରାଯାଇଥାଏ। ଏହି ଅଂଚଳରେ ନକ୍ସଲଙ୍କ ଦବଦବା ରହିଥିବା ଯୋଗୁଁ ପୁଲିସ କିମ୍ବା ଅବକାରୀ ବିଭାଗ ଚଢାଉ କରିବା ସମ୍ଭବପର ହୋଇନଥାଏ। ଯାହାଫଳରେ ଗଂଜେଇ ଚାଷ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଏହି ଗଂଜେଇ ଚାଷକୁ କିଭଳି କମାଇ ଦିଆଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କୁ ହଳଦୀ ଚାଷ ପ୍ରତି ଆକର୍ଷିତ କରିବାକୁ ପ୍ରୟାସ କରୁଛି। ଏଥିନିମନ୍ତେ ପ୍ରଶାସନ ଏବଂ ଓଏଲଏମ ତରଫରୁ ପ୍ରକ୍ରିୟା ଚାଲିଛି। ଲୋକେ ମଧ୍ୟ ଗଂଜେଇ ଚାଷ ଛାଡି ହଳଦୀ ଚାଷରେ ମନ ବଳାଉଥିବା ଦେଖିବାକୁ ମଳିଛି।
ଏନେଇ ଆଜି ଚିତ୍ରକୋଣ୍ଡା ବ୍ଲକର ବଡପଦର ଠାରେ ଏକ ବୈଠକ କରାଯାଇ ଲୋକଙ୍କୁ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହି ନିଜର ପାରଂପାରିକ ଚାଷ ହଳଦୀ, ମାଣ୍ଡିଆ, ସୁଆଁ ଇତ୍ୟାଦି ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡିଓ ଲରିମନ ଖରସେଲ, ନୀତି ଆୟୋଗର ଏଡିଏଫ ଡ.ମନଜିତ, ଏଏଚଓ ନମୀତା ମାଢି, ଆରଏମଆଇ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର, ନୋଡାଲ ଅଫିସର ଗୋପାଳ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକେ ମଧ୍ୟ ଆଗାମୀ ଦିନରେ ହଳଦୀ ଚାଷ କରିବାକୁ ଇଛା ପ୍ରକଟ କରିଥିଲେ। ବର୍ତ୍ତମାନ ମଧ୍ୟ ହଳଦୀ ଚାଷ କରି ଦି’ପଇସା ଲାଭ ପାଇଥିବା ପ୍ରକାଶ କରିଥିଲେ। ଗଂଜେଇ ଲାଭଜନକ ବ୍ୟବସାୟ ହୋଇଥିଲେ ମଧ୍ୟ ଏହା ବେଆଇନ କାର୍ଯ୍ୟ ବୋଲି ସେମାନଙ୍କୁ ବୁଝାଯାଇଥିଲା। ଲୋକେ ଏଥିରୁ ଦୂରେଇ ଯାଇ ନିଜ ଜମିରେ ବିଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ କୁହାଯାଇଥିଲା। ଗଂଜେଇ ଚାଷରେ ଗିରଫ ହୋଇ ଜେଲ ଯିବାର ଭୟ ରହିଥିବାରୁ ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ବିଡିଓ ଲନିଜେ ସ୍ବାଭିମାନ ଅଂଚଳକୁ ଗସ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅଂଚଳକୁ ଅଧିକାଂଶ ଅଧିକାରୀ ବୁଲିବାକୁ ଯାଇ ନଥାନ୍ତି। ଏମିତିରେ ବିଡିଓ ଯାଇ ଆଗାମୀ ଦିନରେ ସ୍ବାଭିମାନ ଅଂଚଳରେ ବିକାଶ ଧାରା ଆଗେଇବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପୂରଣ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର