ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଠିକାଦାର

ବାଲିମେଳା: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟା ନେଇ ଠିକାଦାର ଧାରଣା ଦେଇଛନ୍ତି। ଏନଏସିରେ ବ୍ୟାପକ ଅନିୟମିତତା ଏବଂ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଠିକାଦାରମାନେ ଧାରଣା ଦେଇଥିବା ପ୍ରକାଶ। ଧାର୍ଯ୍ୟ ସମୟରେ ଠିକାଦାରମାନେ କାର୍ଯ୍ୟ ସଂପୂର୍ଣ୍ଣ କରୁଥିଲେ ମଧ୍ୟ ବିଲ ପୈଠ କରାଯାଉ ନଥିବା, ଏନଏସି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର କାର୍ଯ୍ୟାଦେଶ ମଧ୍ୟ ବିଳମ୍ବରେ ପ୍ରଦାନ ,ଗୋଟିଏ ଜାଗାରେ କାର୍ଯ୍ୟ ସ୍ଥିର ହୋଇଥିଲେ ଅନ୍ୟ ଜାଗାରେ ଜବରଦସ୍ତ କାର୍ଯ୍ୟ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏନଏସିର କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଠିକାଦାରଙ୍କୁ ଅନେକ ସମୟରେ ଜରିମାନା ମଧ୍ୟ ଦେବାକୁ ପଡୁଛି।

ତେଣୁ ଏହିସବୁ ଦାବିଗୁଡିକର ସମାଧାନ ପାଇଁ ଠିକାଦାରମାନେ ଧାରଣା ଦେବା ସହିତ ଆଗାମୀ ଦିନରେ କୌଣସି କାର୍ଯ୍ୟ କରିବୁ ନାହିଁ ବୋଲି କହିଛନ୍ତି। ଏପରିକି ଟେଣ୍ଡରରେ ମଧ୍ୟ ଅଂଶ ଗ୍ରହଣ କରିବେ ନାହିଁ ବୋଲି ଚେତାଇ ଦେଇଛନ୍ତି। ଠିକାଦାର ଧାରଣା ଦେଇଥିବା ବେଳେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁଶିଲ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନକୁ ଏ ସଂପର୍କରେ ଅବଗତ କରାଯାଇଛି। ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ଯନ୍ତ୍ରୀ କହିଥିବା ଠିକାଦାର କହିଛନ୍ତି। ଧାରଣା ଦେଇଥିବା ଠିକାଦାରଙ୍କ ମଧ୍ୟରେ ସନ୍ତୋଷ ପଣ୍ଡା, ବି.ଅରୁଣ ପାତ୍ର, ଶୀତଲ କୁମାର ଚର୍ଚ୍ଚି, ହାଡୁ ହନ୍ତାଳ, ସୁକାନ୍ତ ହାଲଦାର, ଚିତ୍ତ ରଂଜନ କୁଳଦୀପ, କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର