ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୀର୍ଘ ଦିନ ପରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର ପଞ୍ଚାୟତର ଯନ୍ଦ୍ରାଗୁଡାରେ ରାସ୍ତା କାମର କରୁଥିବା ଠିକାଦାରକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ମାଥିଲି ମହୁପଦର ମୁଖ୍ୟ ରାସ୍ତାରୁ ଯନ୍ଦ୍ରାଗୁଡାକୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା କାମ ବନ୍ଦ କରିବାକୁ ନକ୍ସଲ ବହୁ ଥର ଠିକାଦାରକୁ ଚେତାବନୀ ଦେଇଥିଲେ। କିନ୍ତୁ ଠିକାଦାର ସୁକୁମାର ମଣ୍ଡଳ ରାସ୍ତା କାମକୁ ବନ୍ଦ ନକରିବା ଏବଂ ନକ୍ସଲ ଧମକକୁକ ନଡରିବା ଭଳି କାମ କରୁଥିଲେ। ତେବେ ଆଜି ସକାଳୁ ନକ୍ସଲ ରାସ୍ତା କାମ ନିକଟରେ ଠିକାଦାରକୁ ଅପେକ୍ଷା କରି ରହିଥିଲେ। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ନକ୍ସଲ କାମ ନିକଟରେ ଲୁଚି ରହିଥିଲେ। ଠିକାଦାର ସୁକୁମାର ମଣ୍ଡଳ କାମ ନିକଟକୁ ନିଜର ବଲେରୋ ଗାଡିରେ ପହଞ୍ଚି ଗାଡିରୁ ଓହ୍ଲାଇ କାମ ନିକଟକୁ ଯିବା ସମୟରେ ହଠାତ୍ ନକ୍ସଲ ଜଂଗଲରୁ ବାହାରି ପଡିଥିଲେ। ନକ୍ସଲଙ୍କୁ ଦେଖି ସୁକୁମାର ଦୌଡିବା ଆରମ୍ଭ କରିଥିଲେ। ନକ୍ସଲମାନେ ପଥରରେ ତାକୁ ମାରିଥିଲେ। ସେ ତଳେ ପଡିଯିବାରୁ ତାଂକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିଲେ।
Sambadସୁକୁମାରକୁ ହତ୍ୟା କରିବା ପରେ କାମରେ ନିୟୋଜିତ ଥିବା ତିନୋଟି ଗାଡିକୁ ନିଆଁ ଲଗାଇ ଦେଇଥିଲେ। ପରେ ନକ୍ସଲ ସେଠାରେ ପୋଷ୍ଟର ଏବଂ ବ୍ୟାନର ଛାଡି ଚାଲିଯାଇଥିଲେ। ଏହି ପୋଷ୍ଟରରେ ନକ୍ସଲ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଦେଶର ସଂପତ୍ତିକୁ ଲୁଣ୍ଠନ କରିବାକୁ ଚାହୁଁଛନ୍ତି।ରାସ୍ତା କାମ ହେଲେ ଜଂଗଲର ଖଣି ବାହାର ଦେଶକୁ ବିକ୍ରି କରିଦିଆଯିବ। ତେଣୁ ରାସ୍ତା କାମକୁ ବନ୍ଦ କରିବାକୁ ଚେତାବନୀ ଦେଇ ଆସୁଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଂଚଳଟି ସଂପୂର୍ଣ୍ଣ ଭାବେ ନକ୍ସଲ ପ୍ରବଣ ଅଟେ। ପୁଣି ଘଟଣାସ୍ଥଳରୁ ମାତ୍ର ୫ କିଲୋମିଟର ଦୁରରେ ବିଏସଏଫ କ୍ୟାମ୍ପ ମଧ୍ୟ ରହିଛି। ତୁରନ୍ତ ଯବାନ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ଖବର ପାଇ ମାଥିଲି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁକୁମାରଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛି। ସେ ମାଥିଲି ଠାରେ ନିଜର ପରିବାରକୁ ନେଇ ରହୁଥିଲେ।
ଗତକାଲିଠାରୁ ହିଁ ସେ କାମ ନିକଟକୁ ଯିବା ଆସିବା କରୁଥିଲେ। ଏନେଇ ନକ୍ସଲଙ୍କୁ ଗୁପ୍ତ ସୂଚନା ମିଳିସାରିଥିଲା। ଆଜି ସକାଳ ସାଢେ ଆଠଟା ବେଳେ କାମ ନିକଟରେ ସୁକୁମାର ପହଞ୍ଚିବା ମାତ୍ରେ ତାଂକୁ ଟାର୍ଗେଟ କରିଥିଲେ। ଏହି ହତ୍ୟାକୁ କାଙ୍ଗେର ଘାଟି ଏରିଆ କମିଟି ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ ଯେ ଏହି ଅଂଚଳ ସଂପୂର୍ଣ୍ଣ ଦରଭା ଡିଭିଜନ ଭିତରକୁ ଆସୁଛି। ଛତିଶଗଡ ସୀମା ହୋଇଥିବାରୁ ଛତିଶଗଡ ନକ୍ସଲଙ୍କର ଦବଦବା ଏଠାରେ ରହିଛି। ତେବେ ପୁଲିସର ଘନ ଘନ ଚଢାଉ ଯୋଗୁଁ ନକ୍ସଲ ବିଳବିଳାଉଛନ୍ତି ବୋଲି ପୁଲିସ କହିଛି। ନକ୍ସଲଙ୍କୁ ଜିଲ୍ଲାରୁ ହଟାଇବା ନେଇ ପୁଲିସ ଜିଲ୍ଲା ସାରା ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ଜୋରସୋରରେ ସର୍ଚ୍ଚ ଅପରେସନ ଜାରି ରଖିଥିବାରୁ ନକ୍ସଲ ଏହି ହତ୍ୟା କରି ନିଜର ପତିଆରା ଜାହିର କରିଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Mkg-naxal-killed-contractor-1.jpg)