ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ଗତକାଲି ହୋଇଥିବା ବଡ଼ ଏନକାଉଣ୍ଟରରେ ଦୁଇ କେନ୍ଦ୍ରୀୟ ନେତାଙ୍କର ମୃତ୍ୟୁ ହୋଇଥିଲା। ରାଜୁ ଦାଦା ଓ କୋସା ଦାଦା ଆବୁଝମାଡ଼ ଅଂଚଳର ସବୁଠାରୁ ପରିଚିତ ନକ୍ସଲ ଥିଲେ। ଗତ ତିନି ଦଶନ୍ଧି ଧରି ଏମାନେ ସେହି ଅଂଚଳରେ ନିଜର ଦବଦବା କାଏମ ରଖିଥିଲେ। ରାଜୁ ଦାଦା ଅର୍ବାନ ନକ୍ସଲ ଭାବେ କାମ କରୁଥିଲେ। ଜଣେ ଓକିଲ ହୋଇଥିବାରୁ ସେ ସହରରେ ରହି ନକ୍ସଲଙ୍କୁ ସମସ୍ତ ସହଯୋଗ କରୁଥିଲେ।
ଦୀର୍ଘ ଦିନ ଧରି ପୁଲିସ ଓ ଜନସାଧାରଣ ତାଂକର ଏହି କାର୍ଯ୍ୟ ସଂପର୍କରେ ଅବଗତ ହୋଇପାରିନଥିଲେ। ନକ୍ସଲଙ୍କୁ ସମସ୍ତ ପ୍ରକାର ହତିଆର ସହ ସମସ୍ତ ସାମଗ୍ରୀ ଯୋଗାଇ ଆସୁଥିଲେ।
ସେହିପରି କୋସା ଦାଦା ଏରିଆ କମିଟି ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରୁଥିଲେ। ସଂଗଠନକୁ ଆଗକୁ ବଢ଼ାଇବା ତାଂକ ଉପରେ ନ୍ୟସ୍ତ ଥିଲା। ନୂତନ ଯୁବକଯୁବତୀ କିପରି ସଂଗଠନରେ ଜଡିତ ହେବେ ଏବଂ ତାଂକୁ ତାଲିମ ପ୍ରଦାନ କରିବା ସେ ସିଦ୍ଧହସ୍ତ ଥିଲେ। ଦୁଇ ନକ୍ସଲ ନାମରେ ଛତିଶଗଡ଼ରେ ୪୦ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ତେଲେଙ୍ଗାନାରେ ୨୫ ଲକ୍ଷ ଲେଖାଏଁ ଏବଂ ମହାରାଷ୍ଟ୍ରରେ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଜଣକ ପରେ ଜଣେ ନକ୍ସଲ ନେତା ପୁଲିସ ଗୁଳିରେ ଟଳିପଡୁଥିବାରୁ ସଂଗଠନ ଏବେ ଦୋହଲିଯାଇଛି। ଗତ ମେ ମାସରେ ଏହି ଆବୁଝମାଡ଼ରେ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁର ମୃତ୍ୟୁ ସଂଗଠନକୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଦୁଇ ନେତାଙ୍କ ମୃତ୍ୟୁ ସଂଗଠନକୁ ଦିଗହରା କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ନକ୍ସଲ ନିଜର କେନ୍ଦ୍ରୀୟ କମିଟି ନେତାଙ୍କୁ ସୁରକ୍ଷା ଦେବାରେ ଅସଫଳ ହୋଇଛି। ଯାହାଫଳରେ ପୁଲିସ ଲଗାତାର ସଫଳତା ହାସଲ କରୁଛି। ଲଗାଣ ବର୍ଷାକୁ ଭୟ ନକରି ଯବାନ ଆବୁଝମାଡ ଜଂଗଲରେ ନକ୍ସଲଙ୍କୁ ଖୋଜିବା ସବୁଠାରୁ କାଠିକର ପାଠ ହୋଇଥିଲେ ମଧ୍ୟ ଯବାନ ସଫଳ ହୋଇଥିବା ପୁଲିସର ଉଚ୍ଚ ପଦାଧିକାରୀ କହିଛନ୍ତି। ସଂଗଠନକୁ ଚଲାଇବା ପାଇଁ ନେତାର ଘୋର ଅଭାବ ହେଲାଣି। ଆଉ ହାତଗଣତି ନେତା ରହିଥିବା ବେଳେ ସେମାନେ ଯଦି ଜଣକ ପରେ ଜଣେ ମରିବେ ତେବେ ସଂଗଠନ ସରକାର କରିଥିବା ଟାର୍ଗେଟ ପୂର୍ବରୁ ମୂଳପୋଛ ହେବେ ବୋଲି କୁହାଯାଇଛି। ନକ୍ସଲ କାହାର ନେତୃତ୍ବରେ କାମ କରିବେ ବୁଝିପାରୁନଥିବା ଜଣାପଡିଛି। ତେଣୁ ଆଗାମୀ ଦିନରେ ବହୁ ନକ୍ସଲ ସଂଗଠନ ଛାଡିବେ ବୋଲି ପୁଲିସ ଆଶା ପ୍ରକଟ କରିଛି। ଗତ ୨୦୨୪ରୁ ୨୦୨୫ର ଆଜି ପର୍ଯ୍ୟନ୍ତ ୬ କେନ୍ଦ୍ରୀୟ କମିଟି ନେତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୪୫୦ ନକ୍ସଲ ମୃତ୍ୟୁବରଣ କରିସାରିଲେଣି।
maoists