ଗ୍ରାମ ରୋଜଗାର ସେବକଙ୍କ ଆନ୍ଦୋଳନ :ସରକାରଙ୍କ ଚେତାବନୀ ପରେ ବି ଆନ୍ଦୋଳନ ଜାରି

ମାଲକାନଗିରି: ଗତ ୧୫ ତାରିଖ ଠାରୁ ମାଲକାନଗିରି ଜିଲ୍ଲାରେ ଗ୍ରାମ୍ୟ ରୋଜଗାର ସେବକ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ରୋଜଗାର ସେବକଙ୍କୁ ସ୍ଥାୟୀ କରିବା ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରିଆସୁଥିଲେ ବି ସରକାର ଏହାକୁ କର୍ଣ୍ଣପାତ କରୁନଥିବା ଯୋଗୁଁ ଗ୍ରାମ୍ୟ ରୋଜଗାର ସେବକମାନେ ଅସହାୟ ହୋଇ ପଡିଛନ୍ତି। ସରକାରଙ୍କ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରୁଥିଲେ ହେଁ ରାଜ୍ୟ ସରକାର ଦାବିକୁ ପୂରଣ କରିବା ବଦଳରେ ଓଲଟି ଚେତାବନୀ ଦେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଚଳିତ ମାସ ୧୫ ତାରିଖ ଠାରୁ ଜିଆରଏସ ମାନେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାର୍ଯ୍ୟ ବନ୍ଦ ଯୋଗୁଁ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି। ଗତ ୧୫ ତାରିଖରେ ପ୍ରଥମେ ସରକାରଙ୍କ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଚିଠି ନମ୍ବର ୨୧୭୬୧ରେ କାର୍ଯ୍ୟରେ ଯୋଗଦାନ ନକଲେ ପରିଣାମ ଭୋଗିବା ନେଇ ଚେତାବନୀ ଦେଇଥିଲେ । ଏହାକୁ ଖାତିରି ନକରି ଜିଆରଏସ ସଂଘ ଆନ୍ଦୋଳନକୁ ଜାରି ରଖିଛନ୍ତି। ପୁଣି ଗତ ୨୨ ତାରିଖ ଦିନ ଚିଠି ନମ୍ବର ୨୨୪୫୩ରେ ସରକାରଙ୍କ ତରଫରୁ ଧମକପୂର୍ଣ୍ଣ ଚିଠି ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଚେତାବନୀକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଖୋଲାଖୋଲି ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ଧରି କମ୍ ଦରମାରେ ଜିଆରଏସ୍ ମାନେ କାମ କରିବା ସହ ସରକାରଙ୍କର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସଫଳ କରୁଥିବା ବେଳେ ସରକାର ଦାବି ପ୍ରତି ଗୁରୁତ୍ବ ନଦେବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ସ୍ଥାୟୀ ଘୋଷଣା ନକରିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ଉପସଭାପତି ମୋହନ ରାଜୁ ନେଲୁର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର