ଗୋରାସେତୁରେ ପୁଣି ଗର୍ଜିଲେ ଗ୍ରାମବାସୀ, ନକ୍ସଲ ବିରୋଧରେ ପ୍ରଜାମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ବାଭିମାନ ଅଂଚଳର ଗୋରାସେତୁଠାରେ ପୁଣି ଗର୍ଜିଛନ୍ତି ଗ୍ରାମବାସୀ। ଆଜି ଶତାଧିକ ଗ୍ରାମବାସୀ ଏକତ୍ର ହୋଇ ନକ୍ସଲଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ନକ୍ସଲଙ୍କୁ ଆଉ ଗ୍ରାମକୁ ପୂରାଇ ଦେବେ ନାହିଁ। ଗ୍ରାମବାସୀଙ୍କୁ ନକ୍ସଲ ଦାଉରୁ ରକ୍ଷା କରିବା ପାଇଁ ଏଥର ଅଣ୍ଟା ଭିଡି ତାଂକ ସହ ଯୁଦ୍ଧ କରିବେ। ନିରୀହ ଲୋକଙ୍କୁ ଆଉ ହତ୍ୟା କରିପାରିବେ ନାହିଁ ନକ୍ସଲ। ଆମ ଅଂଚଳକୁ ସୁରକ୍ଷା ପ୍ରଦାନ କରୁଥିବା ସୁରକ୍ଷାକର୍ମୀଙ୍କୁ ସବୁ ସମୟରେ ସହଯୋଗ କରିବା ବୋଲି ନିଷ୍ପତ୍ତି ନିଆଯାଇଛି।

ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ମଧ୍ୟ ସହଯୋଗ କରିବେ ଗ୍ରାମବାସୀ। ସମସ୍ତେ ଏକତ୍ର ହୋଇ ଲଢିବେ ବୋଲି ଶପଥ ନେଇଥିଲେ। ବିନା କାରଣରେ ନକ୍ସଲ ନିରୀହ ଲୋକଙ୍କୁ ଟାର୍ଗେଟ କରି ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରୁଛନ୍ତି। ସ୍ବାଭିମାନ ଅଂଚଳରେ ଆଜି ବିକାଶ ନହେବାର କାରଣ ହେଉଛି ନକ୍ସଲ। ଆମେ ବୁଝିପାରିଛୁ। ଏଥର ଆଉ ଭୁଲ କରିବୁ ନାହିଁ। ପ୍ରଶାସନ ଏବଂ ପୁଲିସକୁ ସହଯୋଗ କରିବୁ। ଆମ ଅଂଚଳରେ ଥିବା ବିଏସଏଫଙ୍କୁ ସହଯୋଗ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏପରିକି ପଣସପୁଟ ପଞ୍ଚାୟତରେ ନକ୍ସଲ ରହି ଲୋକଙ୍କୁ ଅନ୍ୟ ଅଂଚଳର ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଉସୁକାଉଛନ୍ତି। କିନ୍ତୁ ଆମେ ସେହି ଅଂଚଳର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ ବୁଝାଇବୁ ବୋଲି ବୈଠକରେ କୁହାଯାଇଛି। ନକ୍ସଲ ଗ୍ରାମରେ ପଶିଲେ ମରିବେ ବୋଲି କୁହାଯାଇଛି। ଦିନରାତି ଏକ କରି ନକ୍ସଲକୁ ଜଗିବା ବୋଲି ଲୋକେ ନିଷ୍ପତ୍ତି ନେଇଥିଲେ।ସ୍ବାଭିମାନ ଅଂଚଳରୁ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କୁ ହଟାଇବା ନେଇ ଆଲୋଚନା ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଗୋରାସେତୁ ଅଂଚଳ ନକ୍ସଲଙ୍କର ରାଜଧାନୀ ଥିଲା। ଏଠାରେ ନକ୍ସଲଙ୍କର ଏକ ବିରାଟ କାର୍ଯ୍ୟାଳୟ ରହିଛି। ଯେଉଁଠି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ରୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏଥିସହ ପ୍ରଜାକୋର୍ଟ କରି ଲୋକଙ୍କୁ ଦଣ୍ଡ ଦେଉଥିଲେ। ତେବେ ଏଭଳି ଆଉ କେବେ ସ୍ବାଭିମାନ ଅଂଚଳରେ ହେବ ନାହିଁ ବୋଲି ଲୋକେ କହିଛନ୍ତି।ସ୍ବାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅଂଚଳକୁ ଆଜି ପର୍ଯ୍ୟନ୍ତ ସରକାରଙ୍କର କୌଣସି ମୌଳିକ ସୁବିଧା ପହଞ୍ଚିପାରି ନାହିଁ, ଯାହାର କାରଣ ହେଲା ନକ୍ସଲଙ୍କ କାର୍ଯ୍ୟକଳାପ। ତେଣୁ ସରକାରଙ୍କର ସମସ୍ତ ଯୋଜନାକୁ ହାତେଇବା ପାଇଁ ଏଥର ପ୍ରଶାସନ ଏବଂ ସରକାରଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି। ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବେ ବୋଲି ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର