ମାଲକାନଗିରି: ଜିଲ୍ଲାରେ ଏବେ ଉତ୍କଟ ଜଳ ସମସ୍ୟା। ଦୁର୍ଗମ ଅଞ୍ଚଳରେ ନଳକୂପଗୁଡିକ ଖରାପ ହୋଇ ପଡ଼ିଥିବା ବେଳେ କୂଅଗୁଡ଼ିକରେ ପାଣି ଶୁଖିଗଲାଣି। ଲୋକଙ୍କୁ ଚୁଆ ଉପରେ ନିର୍ଭର କରିବାକୁ ପଡୁଛି। ଜିଲ୍ଲାର ଅର୍ଦ୍ଧାଧିକ ନଳକୂପ ଏବେ ଅକାମୀ ହୋଇଛି। ଖଇରପୁଟ ବ୍ଲକର ବଣ୍ଡାଘାଟିର ଦୁଇଟି ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତରେ ମଧ୍ୟ ଉତ୍କଟ ଜଳ ସମସ୍ୟା ଦେଖାଦେଲାଣି। ଏନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରି ନୟାନ୍ତ ହେଲେଣି ଲୋକେ। ଅନ୍ୟ ବ୍ଲକର ଅବସ୍ଥା କହିଲେ ନସରେ।
କେବଳ କାଗଜ କଲମରେ ସବୁ ଠିକ ଚାଲୁଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଅଲଗା ରହିଛି। ଜିଲ୍ଲା ଜଳ ଓ ପରିମଳ ବିଭାଗ କେବଳ ଜିଲ୍ଲାରେ କେତେ ପାଣିର ଉତ୍ସ ରହିଛି ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରୁଛନ୍ତି। କିନ୍ତୁ ଜିଲ୍ଲାରେ କେଉଁ କେଉଁ ଗାଁରେ ପାଣିର ସମସ୍ୟା ରହିଛି ଏବଂ କେତେ ନଳକୂପ,କୂପ ଏବଂ ଅନ୍ୟ ପାଣିର ଉତ୍ସ ଖରାପ ହୋଇ ପଡିଛି ତାହା ରିପୋର୍ଟ ପ୍ରଦାନ କରାଯାଉ ନାହିଁ। ଏନେଇ ବିଭାଗକୁ ପଚାରିଲେ ବ୍ଲକଗୁଡିକରେ ଖରାପ ନଳକୂପ କିମ୍ବା ଅନ୍ୟ ପାଣିର ଉତ୍ସ ସଂପର୍କରେ ମିଳିବ ବୋଲି କୁହାଯାଉଛି।
ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରେ ୫୯,୮୫୭ ଲୋକଙ୍କ ପାଇଁ ୧୪୭୦ ନଳକୂପ, ୪୯୮ କୂପ, ୧୦ଟି ବସୁଧା ଯୋଜନା, ୪୨ଟି ଝରଣା ପାଣି ପାଇପ ଯୋଗେ ଜଳ ପ୍ରଦାନ, ୧୪୫ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ ପମ୍ପ ଏବଂ ୭୯ଟି ସୋଲାର ପାଇପ ଜଳ ଯୋଗାଣର ବ୍ୟବସ୍ଥା ଥିବା କୁହାଯାଇଛି।
କାଲିମେଳା ବ୍ଲକରେ ୨୩ଟି ପଞ୍ଚାୟତର ୧,୩୦,୯୪୬ ଜଣ ଲୋକଙ୍କ ପାଇଁ ୨୫୫୯ଟି ନଳକୂପ ଏବଂ ୭ଟି କୂପ,୭୫ଟି ବସୁଧା ଯୋଜନା, ଗୋଟିଏ ଝରଣା ପାଣି ପାଇପ ଯୋଗାଣ, ୭୧ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ ପାଣି ଯୋଗାଣର ବ୍ୟବସ୍ଥା ରହିଛି। ଖଇରପୁଟ ବ୍ଲକର ୧୧ଟି ପଞ୍ଚାୟତର ୫୭୩୭୦ ଲୋକଙ୍କ ପାଇଁ ୧୩୪୫ଟି ନଳକୂପ, ୨୦୫ଟି କୂପ, ୪୩ଟି ବସୁଧା ଯୋଜନା, ୩୫ଟି ଝରଣା ପାଣିରେ ଜଳ ଯୋଗାଣ, ୯୧ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ, ୫ଟି ସୋଲାର ପାଇପ ଜଳ ଯୋଗାଣର ବ୍ୟବସ୍ଥା ରହିଥିବା କୁହାଯାଇଛି।
/sambad/media/media_files/2025/01/28/mkg-water-problem-in-dist.jpg)
ସେହିପରି କୋରକୋଣ୍ଡା ବ୍ଲକର ୧୨ଟି ପଞ୍ଚାୟତର ୭୩୯୨୦ ଲୋକଙ୍କ ପାଇଁ ୧୪୭୩ଟି ନଳକୂପ, ୬୨ଟି କୂପ, ୩୫ଟି ବସୁଧା ଯୋଜନା, ୭ଟି ଝରଣା ପାଣି ପାଇପ ଜଳ ଯୋଗାଣ, ୧୩୦ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ, ୫୦ଟି ସୋଲାର ପାଇପ ଜଳ ଯୋଗାଣ ରହିଛି। ମାଲାକନଗିରି ବ୍ଲକର ୧,୦୨,୧୨୧ ଲୋକଙ୍କ ପାଇଁ ୨୩୧୭ଟି ନଳକୂପ, ୧୫ଟି କୂପ, ୫୩ଟି ବସୁଧା ଯୋଜନା, ୯୩ଟି ସୋଲାର ଷ୍ଟାଣ୍ଡ ପୋଷ୍ଟରେ ଜଳ ଯୋଗାଣର ବ୍ୟବସ୍ଥା ରହିଛି।
ମାଥିଲି ବ୍ଲକର ୨୦ ପଞ୍ଚାୟତର ୯୬୪୮୬ ଲୋକଙ୍କ ପାଇଁ ୨୪୮୧ଟି ନଳକୂପ, ୧୮୦ଟି କୂପ, ୪୧ଟି ବସୁଧା ଯୋଜନା, ୪ଟି ଝରଣା ପାଣିର ଜଳ ଯୋଗାଣ, ୯୦ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ ଏବଂ ୨୦ଟି ସୋଲାର ପାଇପ ଜଳ ଯୋଗାଣ ଏବଂ ପଡିଆ ବ୍ଲକର ୮ଟି ପଞ୍ଚାୟତର ୪୩୧୯୨ ଲୋକଙ୍କ ପାଇଁ ୧୦୭୫ଟି ନଳକୂପ, ୧୮ଟି ବସୁଧା ଯୋଜନା, ୪୧ଟି ଷ୍ଟାଣ୍ଡ ପୋଷ୍ଟରେ ଜଳ ଯୋଗାଣର ବ୍ୟବସ୍ଥା ରହିଛି।
ଜିଲ୍ଲାରେ ରହିଥିବା ୧୧୧ଟି ପଞ୍ଚାୟତର ୫,୬୩,୮୯୨ ଲୋକଙ୍କ ପାଇଁ ୧୨,୭୨୦ଟି ନଳକୂପ ରହିଥିବା କୁହାଯାଉଥିବା ବେଳେ ୯୬୭ଟି କୂପ ରହିଛି। ୨୭୫ଟି ବସୁଧା ଯୋଜନା ଏବଂ ୮୯ଟି ଝରଣା ପାଣିରେ ଜଳ ଯୋଗାଣ ଓ ୬୬୧ଟି ସୋଲାର ଷ୍ଟାଣ୍ଡ ପୋଷ୍ଟ ଏବଂ ୧୫୪ଟି ସୋଲାର ପାଇପ ଲାଇନ ଦ୍ବାରା ଜଳ ଯୋଗାଣ କରାଯାଉଥିବା କୁହାଯାଇଛି। କିନ୍ତୁ ବାସ୍ତବରେ ବହୁ ସ୍ଥାନରେ ବସୁଧା ଯୋଜନା ଫେଲ ମାରିଥିବା ବେଳେ ସୋଲାର ଜଳ ଯୋଗାଣ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି।
ନଳକୂପ ଓ କୂପର ଅବସ୍ଥା ନକହିବା ଭଲ। ଜିଲ୍ଲା ଜଳ ଓ ପରିମଳ ବିଭାଗ ବ୍ଲକ ପ୍ରଶାସନ ଉପରେ ଦୋଷ ଠେଲି ଚୁପ ବସିଥିବା ବେଳେ ବ୍ଲକ ପ୍ରଶାସନ ସବୁ ଠିକ ଚାଲିଥିବା ବେଳେ କିଛି ସ୍ଥାନରେ ଖରାପ ରହିଥିବା ସ୍ବୀକାର କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ ବୋଲି ବ୍ଲକ ପ୍ରଶାସନ କହୁଛି।