ମାଲକାନଗିରି: ବର୍ଷକ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ତରବରିଆ ଭାବେ ମାଲକାନଗିରି ବିମାନବନ୍ଦରକୁ ଉଦ୍ଘାଟନ କରିଥିଲେ। ୧ ବର୍ଷ ବିତିବାର ପରେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ ସ୍ଥିତି ଦେଖିବାକୁ ମିଳିଛି। ରନୱେରେ ବିମାନ ବଦଳରେ ଚାଲୁଛନ୍ତି ଗାଈ ଗୋରୁ। ଭାଙ୍ଗିଥିବା ପାଚେରୀ ସ୍ଥାନେ ସ୍ଥାନେ ଏବେବି ପଡି ରହିଥିବା ବେଳେ କିଛି ପାଚେରୀର ମରାମତି କାର୍ଯ୍ୟ ଜାରି ରହିଛି। ମାଲକାନଗିରିବାସୀ ବର୍ଷକ ତଳେ ଦେଖିଥିବା ସ୍ୱପ୍ନ ଏବେ ଅଧାରେ ଅଟକି ରହିଛି। ପ୍ରଶାସନ କହିଛି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପାଇଁ ଆଉ କିଛି କାମ ବାକି ଅଛି। ସେଗୁଡିକ ଖୁବଶୀଘ୍ର କାରାଯାଇ ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରାଯାଉଛି।
ମାଲକାନଗିରି ବିମାନ ବନ୍ଦର ଫାଟକରେ ଥିବା ନାମ ଫଳକରେ ଗତ ଜାନୁଆରି ୯ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରକୁ ଉଦଘାଟନ କରିଥିଲେ ବୋଲି ଉଲ୍ଲେଖ ରହିଛି। ଆଉ ସରକାର ବଦଳିବା ପରେ ମୁଖ୍ୟ ଫାଟକରେ ଥିବା ଆଉ ଏକ ନାମ ଫଳକର ରଙ୍ଗ ବଦଳିବା ସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ଏହା ଏୟାର ଷ୍ଟ୍ରିପ ବୋଲି ନାମ ଫଳକରେ ଉଲ୍ଲେଖ ରହିଛି। ଯାହାକି ଗତ ଉଦଘାଟନ ସମୟରେ ଏହା ଏୟାର ଷ୍ଟ୍ରିପ ନା ଏୟାର ପୋର୍ଟ ବୋଲି ପ୍ରଶ୍ନ କରିଯାଇଥିଲା।
ଉଦଘାଟନର ବର୍ଷେ ପରେ ବିମାନ ବନ୍ଦରର ଚିତ୍ର ବଦଳିବାର ନାମ ଧରୁନାହିଁ। ରନୱେ ଓ ବିମାନ ବନ୍ଦରର ପରିସରରେ ବୁଲୁଛନ୍ତି ମାଳ ମାଳ ଗାଈଗୋରୁ। କୌଣସି ସୁରକ୍ଷାକର୍ମୀ ଏଠାରେ ନଥିବାରୁ ଯେ କୌଣସି ଲୋକ ଅଭେଦରେ ପ୍ରବେଶ କରିପାରୁଛି। ଅନ୍ୟପଟେ ଏବେବି ଭାଙ୍ଗିଥିବା କିଛି ପାଚେରୀ ସେଭଳି ଭଙ୍ଗା ଅବସ୍ଥାରେ ପଡି ରହିଥିବା ବେଳେ ପାଚେରୀର ଡିଜାଇନ ବଦଳାଇ ଅନେକ ସ୍ଥାନରେ ମରାମତି କାର୍ଯ୍ୟ କରାଯାଉଛି। ସେହିପରି ଟର୍ମିନାଲ ଘରଗୁଡିକ ମଧ୍ୟ ବହୁ ସ୍ଥାନରେ କରାଯାଇଥିବା ଡିଜାଇନ ଧୀରେଧୀରେ ଭାଙ୍ଗିବାକୁ ବସିଲାଣି।
ବର୍ଷକ ତଳେ ଉଦଘାଟନ ସମୟରେ ଯେଭଳି ଚିତ୍ର ଥିଲା ବର୍ଷକ ପରେ ମଧ୍ୟ ପାଖାପାଖି ସେହି ଏକା ଚିତ୍ର ଜିଲ୍ଲାବାସୀକୁ ଦେଖିଥିବା ମିଳିଛି। ବିମାନରେ ଉଡିବା ଅଂଚଳବାସୀଙ୍କ ସ୍ୱପ୍ନ ଏଜ ପ୍ରକାର ସ୍ୱପ୍ନରେ ରହିଯାଇଛି। ବିମାନ ସେବା ଆରମ୍ବ ହୋଇଥିଲେ ମାଲକାନଗିରି ଜିଲ୍ଲା ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବିକାଶ ହେବା ସହ ଜିଲ୍ଲା ଅନ୍ୟ ସ୍ଥାନକୁ ଅକାଶମାର୍ଗରେ ଯୋଡି ହୋଇଥାନ୍ତା। ବର୍ଷକ ପରେ ଏହି ବିମାନ ବନ୍ଦରରେ ସୁରକ୍ଷା ପାଇଁ ୩ଟି ଵାଚ ଟାୱାର ନିର୍ମାଣ ହୋଇଥିବା ବେଳେ ଅଳ୍ପ କିଛି ମାଟିକୁ ସମତୁଲ କରାଯାଇଛି। ଏହା ସହ ଭାଙ୍ଗିଥିବା କିଛି ପାଚେରୀ ଓ ରାସ୍ତାର ମରାମତି କାମ ଚାଲିଛି।
ଗତ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଉଦଘାଟନ ଜରିଥିବା ବେଳେ ବର୍ଷକ ପରେ କିଛି କାର୍ଯ୍ୟ ତ୍ୱରାନ୍ୱିତ ନହେବା ବିମାନ ସେବା କ୍ଷେତ୍ରରେ ସନ୍ଦେହ ବଢ଼ାଇଛି। ଅପରପକ୍ଷରେ ଜିଲ୍ଲା ପ୍ରଶାସନ କହିଛି ବିମାନ ବନ୍ଦରର ଚୁକ୍ତି କରିଥିବା ଠିକାଦାରର କାର୍ଯ୍ୟ ଖୁବଶୀଘ୍ର ସମାପ୍ତ ହେବ। ବିମାନ ବନ୍ଦରରେ ଆଉ କିଛି ଜର୍ଯ୍ୟ ବାକି ଅଛି। ଆଉ ଏକ ଟେଣ୍ଡର ଡକାଯାଇ ଡିଜିସିଏ ଅନୁମତି ପାଇଁ ଯାହା ଯାହା କାର୍ଯ୍ୟ ଆବଶ୍ୟକ ତାହା କରାଯିବ।