ମାଲକାନଗିରି: ଗତ ୬୦ ଦଶକରେ ମାଲକାନଗିରିକୁ ବାଂଲାଦେଶରୁ ଆସିଥିଲେ ଶରଣାର୍ଥୀ। ସେମାନଙ୍କୁ ଭାରତ ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଥଇଥାନ କରିଥିଲେ। ସେହି ସ୍ଥାନ ମଧ୍ୟରୁ ମାଲକାନଗିରି ଅନ୍ୟତମ। ଗତ ୬୦ ବର୍ଷ ତଳେ ଆସିଥିବା ବାଂଲାଦେଶୀମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଇଥାନ କରି ଗ୍ରାମ ଗଢିବା ସହ ସେହି ଗ୍ରାମର ନାମ ଦେଲେ ମାଲକାନଗିରି ଭିଲେଜ(ଏମଭି)। ଏମଭି ଗ୍ରାମର ନମ୍ବର ରଖିଦେଲେ ସରକାର।
ଏହି ଖବର ପଢ଼ନ୍ତୁ: ବଣ୍ଡାଘାଟିରେ ଜିଲ୍ଲା ପ୍ରଶାସନ ସହ ସୁଭଦ୍ରା ଯୋଜନାକୁ ନେଇ ରୁଦ୍ଧଦ୍ବାର ବୈଠକ
ସେହିପରି ୮୦ ଦଶକ ବେଳକୁ ଯେଉଁ ବାଂଲାଦେଶୀ ଜିଲ୍ଲାକୁ ଆସିଲେ ସେମାନଙ୍କୁ ଥଇଥାନ କରାଯିବା ପରେ ସେହିଗ୍ରାମର ନାମ ମାଲକାନଗିରି ପୋଟେରୁ ଭିଲେଜ(ଏମପିଭି) ବୋଲି ନାମକରଣ କଲେ। ଏହି ଏମପିଭି ଗ୍ରାମର ମଧ୍ୟ ନମ୍ବର ରହିଲା। ଜିଲ୍ଲାରେ ବର୍ତ୍ତମାନ ୨୧୪ଟି ଏମଭି ଗ୍ରାମ ରହିଛି। ଦୀର୍ଘ ବର୍ଷଧରି ଏହି ଏମଭି ଓ ଏମପିଭି ଗ୍ରାମର ନାମକୁ ବଦଳାଇ ଏହାର ନିଜସ୍ବ ନାମ ରଖିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସରକାର ଏଦିଗରେ ପଦକ୍ଷେପ ନେଲେ ନାହିଁ।
ଏହି ଖବର ପଢ଼ନ୍ତୁ: ଋଣ କରାଇଦେବାକୁ କହି ୫ ହଜାର ନେଉଥିଲେ ମହାପ୍ରବନ୍ଧକ
ଗତ ସାଧାରଣ ନିର୍ବାଚନରେ ବିଜେପି ସରକାର ମାଲକାନଗିରିରେ ପ୍ରଚାର ବେଳେ ଏମଭି ଓ ଏମପିଭି ଗ୍ରାମର ନାମକୁ ବଦଳାଇ ଏହାର ପ୍ରକୃତ ନାମକରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବହୁ ଏମଭି ଗ୍ରାମ ରାଜସ୍ବ ଗ୍ରାମ ତାଲିକାରେ ନଥିବାରୁ ଏନେଇ ମଧ୍ୟ ଦାବି ହୋଇଥିଲା। ବିଜେପି ନିର୍ବାଚନୀ ପ୍ରଚାର ବେଳେ ଏହି ଦାବିକୁ ମଧ୍ୟ ତୁରନ୍ତ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଆସିଛି।
ଏହି ଖବର ପଢ଼ନ୍ତୁ: ଉଗ୍ର ହେଲା ହାତୀ, ପୁଣି ନେଲା ଜୀବନ
ମାଲକାନଗିରିକୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଦୁହେଁ,ଗଣ ଶିକ୍ଷା ମନ୍ତ୍ରୀ ସମେତ ଅନ୍ୟ ରାଜ୍ୟ ମନ୍ତ୍ରୀମାନେ ଗସ୍ତ କରି ନିର୍ବାଚନୀ ବେଳେ ରଖିଥିବା ଇସ୍ତାହାରର ସମସ୍ତ ଦାବି ନିଶ୍ଚିତ ଭାବେ ପୂରଣ କରିବେ ବୋଲି ପୁଣି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏମଭି ଗ୍ରାମର ନାମ ବଦଳେ ତେବେ କଣ ରଖାଯିବ ତାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ସହ ଗ୍ରାମବାସୀଙ୍କ ଚର୍ଚ୍ଚା ଆରମ୍ଭ ହୋଇଛି। ଯେପରି ଏମଭି-୧ ଗ୍ରାମକୁ ଗୌରାଙ୍ଗପୁର, ଏମଭି-୨ ଗ୍ରାମକୁ ମାଧବପୁର, ଏମଭି-୩ ଗ୍ରାମକୁ ଠାକୁରପାଲୀ, ଏମଭି-୪ ଗ୍ରାମକୁ ଶ୍ୟାମପୁର,ଏମଭି-୫ ଗ୍ରାମକୁ ଜଗତପାଲୀ,ଏମଭି-୬ ଗ୍ରାମକୁ ରାମଗୁଡା,ଏମଭି-୭ ଗ୍ରାମକୁ ଜଗନ୍ନାଥପାଲୀ, ଏମଭି-୮ ଗ୍ରାମକୁ ରବୀନ୍ଦ୍ର ନଗର, ଏମଭି-୯ ଗ୍ରାମକୁ ବିବେକାନନ୍ଦପାଲୀ, ଏମଭି-୧୦ ଗ୍ରାମକୁ କଲ୍ୟାଣପୁର। ସେହିପରି ଏମପିଭି-୧୦ ଗ୍ରାମକୁ ଦୁର୍ଗାପୁର, ଏମପିଭି-୧୨ ଗ୍ରାମକୁ ଅଶୋକ ନଗର, ଏମପିଭି-୧୪ ଗ୍ରାମକୁ ଭୋଳାନାଥପୁର, ଏମପିଭି-୨୦କୁ ସତ୍ୟନଗର, ଏମପିଭି-୨୭କୁ ଗୌରୀପୁର ଭଳି ନାମ ରହିବ ବୋଲି ଜଣାପଡିଛି।
ଏହି ଖବର ପଢ଼ନ୍ତୁ: ପୁରୁଣା ଗାଡ଼ି ବିକ୍ରି ଉପରେ ଲାଗିବ ୧୮% ଜିଏସଟି
ସେହିପରି ଏହି ଗ୍ରାମ ମଧ୍ୟରୁ ବହୁ ଗ୍ରାମକୁ ସରକାର ରାଜସ୍ବ ଗ୍ରାମ ବୋଲି ଘୋଷଣା ମଧ୍ୟ କରିବେ ବୋଲି ଜଣାପଡିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରକାର ସର୍ଭେ କାମ ଚାଲିଥିବା ଜଣାପଡିଛି। ସ୍ଥାନୀୟ ଜିଲ୍ଲା ବଙ୍ଗୀୟ ସମାଜ ପକ୍ଷରୁ ଗ୍ରାମଗୁଡିକର ନାମ ଏବଂ ତାଲିକା ପ୍ରସ୍ତୁତ ମଧ୍ୟ ଚାଲିଥିବା ଜଣାପଡିଛି। ଏହି ନାମ ବଦଳିବା ପରେ ସରକାରୀ ଖାତାକତିୟାନରେ ମଧ୍ୟ ସବୁ ଏମଭି ଓ ଏମପିଭି ଗ୍ରାମ ବଦଳିବ ବୋଲି କୁହାଯାଇଛି। ଦୀର୍ଘ ଦିନର ଦାବି ପୂରଣ ହେଉଥିବାରୁ ଏମଭି ଓ ଏମପିଭି ଗ୍ରାମବାସୀଙ୍କ ଖୁସି କହିଲେ ନସରେ। ପୁଣି ନିର୍ବାଚନ ସମୟରେ ବିଜେପି ରଖିଥିବା ଅନ୍ୟ ପ୍ରତିଶ୍ରୁତି ମଧ୍ୟରୁ ବହୁ ବିଦ୍ୟାଳୟରେ ବଙ୍ଗୀୟ ଭାଷା ଶିକ୍ଷକ ନିଯୁକ୍ତିକୁ ମଧ୍ୟ ସରକାର ସବୁଜ ସଂକେତ ଦେଖାଇ ସାରିଛନ୍ତି।