ସ୍ବାମୀଙ୍କୁ ଆକ୍ରମଣ କରି ପତ୍ନୀ ଗିରଫ

ମାଲକାନଗିରି: ମାଲକାନଗିରି ସଦର ବ୍ଲକରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ପତ୍ନୀର ଲାଠି ମାଡରେ ସ୍ବାମୀ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ସହର ନିକଟସ୍ଥ ଏମଭି-୩ ଗାଁର ବାପି ମଣ୍ଡଳ ଗତକାଲି ରାତିରେ ଘରକୁ ଯିବା ପରେ ଆତର୍କିତ ଭାବେ ପତ୍ନୀ ଗୋଟିଏ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ ଏତେ ଶକ୍ତ ଥିଲା ଯେ ମୁଣ୍ଡରେ ଗଭୀର ଅ‌ାଘାତ ଲାଗିଥିବା ବେଳେ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ପତ୍ନୀ ଆକ୍ରମଣ କରିବା ସମୟରେ ଦୁଇ ପୁଅ ଓ ଝିଅ ହସ୍ତକ୍ଷେପ କରିଥିଲେ। କିନ୍ତୁ ପତ୍ନୀ ଏତେ ମାତ୍ରାରେ ଉତ୍ତ୍ୟକ୍ତ ହୋଇ ରହିଥିଲେ ଯେ କାହା କଥା ଆଦୌ ଶୁଣି ନଥିଲେ। ଏପରିକି ପୁଅ, ଝିଅଙ୍କୁ ବି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି। ଆଜି ସକାଳେ ବାପିଙ୍କ ଚେତା ଫେରିବାରୁ ସହକର୍ମୀଙ୍କୁ ଫୋନରେ ଜଣାଇଥିଲେ। ସହକର୍ମୀ ପହଞ୍ଚି ତାଙ୍କୁ ମାଲକାନଗିରି ମେଡିକାଲକୁ ନେଇଥିଲେ। ମୁଣ୍ଡରେ ୬୦ରୁ ଊର୍ଦ୍ଧ୍ବ ସିଲେଇ ପଡିଥିଲା। ଘଟଣା ସଂପର୍କରେ ବିସ୍ତୃତ ଭାବେ କିଛି ଜଣାପଡିନଥିଲେ ମଧ୍ୟ ନିଶ୍ଚିତ ରୂପେ ରହସ୍ୟ ରହିଥିବା ଜୋରଦାର ଚର୍ଚ୍ଚା ହେଉଛି। ବାପି ଜଣେ ବନରକ୍ଷୀ ବୋଲି ଜଣାପଡିଛି। ପୁଲିସ ପତ୍ନୀ ନମିତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଜାରି ରଖିଛି।

ସମ୍ବନ୍ଧିତ ଖବର