ପଛୁଆ ଅଂଚଳର ଆଗୁଆ ଚିତ୍ର ଶିଳ୍ପୀ ରେବା ବିଶ୍ବାସ ବଣମଲ୍ଲୀ ବଣରେ ଫୁଟି ବାସୁଛି; ଚିତ୍ରକଳା ଶିକ୍ଷା ନଥିଲେ ବି ଅବିକଳ ଆଙ୍କିପାରୁଛନ୍ତି ରେବା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଛୁଆ ଅଂଚଳରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଅଛନ୍ତି। ପୂର୍ବରୁ ଏହି ଜିଲ୍ଲାରୁ ଜାତୀୟ ଏବଂ ଆନ୍ତର୍ଜାତିକସ୍ତରରେ ବିଭିନ୍ନ କ୍ରୀଡାରେ ବହୁ ଖେଳାଳି ନାମ କରିସାରିଛନ୍ତି। ସେହିପରି ପଛୁଆ ଅଂଚଳର ଜଣେ ଆଗୁଆ ଚିତ୍ର ଶିଳ୍ବୀ ଭାବେ ଏବେ ରେବା ବିଶ୍ବାସ ଜିଲ୍ଲାରେ ବେଶ ଚର୍ଚ୍ଚିତ ହୋଇଛନ୍ତି। କାଲିମେଳା ବ୍ଲକର ମାନ୍ଦାପାଲୀ ପଞ୍ଚାୟତର ଏମପିଭି-୭ ଗ୍ରାମର ଗଣେଶ ଚନ୍ଦ୍ର ବିଶ୍ବାସଙ୍କ ଝିଅ ରାବା ବିଶ୍ବାସ। ରାବାଙ୍କୁ ବର୍ତ୍ତମାନ ୨୨ ବର୍ଷ ହେବ। ଏବେ ସେ ବିଟେକ ସିଭିଲ ଇଂଜିନିୟରିଂ କରୁଛନ୍ତି। ପାଠପଢାରେ ପିଲାଟି ଦିନରୁ ସଫଳ ହୋଇଆସୁଥିଲେ ମଧ୍ୟ ଚିତ୍ର ପ୍ରତି ତାଂକର ନିଶା ଥିଲା। ପିଲାଟି ଦିନରୁ ସେ କାଗଜ ପେନସିଲ ଧରି ଚିତ୍ର ଆଙ୍କୁଥିଲେ ବୋଲି ତାଂକ ବାପା କହନ୍ତି।

Sambad

ତେବେ ଜିଲ୍ଲାରେ ଚିତ୍ରକଳା ଶିକ୍ଷା ନେଇ କୌଣସି ସ୍କୁଲ କିମ୍ବା କଲେଜ ନଥିବାରୁ ବହୁ ଛାତ୍ରଛାତ୍ରୀ ଏହି ଚିତ୍ରକଳା ଶିକ୍ଷାରୁ ବଂଚିତ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି। ତେବେ ଲକ୍ ଡାଉନ ସମୟରେ ଘରୁ ପଦାକୁ ନବାହାରି ରେବା ୟୁଟ୍ୟୁବରୁ ଚିତ୍ରକଳା ଶିଖିବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ଚିତ୍ରକଳାରେ ସିଦ୍ଧହସ୍ତ ହୋଇଗଲେଣି। ଏବେ ସେ ଯେଉଁ ଚିତ୍ର ଦେଲେ ମଧ୍ୟ ଠିକ ସେହି ପ୍ରକାରେ ଆଙ୍କି ଦେଇପାରୁଛନ୍ତି। ଏପରିକି ଠାକୁରଠାକୁରାଣୀ, ସିନେମା ଷ୍ଟାର କିମ୍ବା ଲୋକଙ୍କୁ ଦେଖି ଅବିକଳ ଚିତ୍ର ଆଙ୍କି ପାରୁଥିବା ଦେଖିବାକୁ ମିଳିଛି।

ବାପା ଜଣେ ହୋମିଓପ୍ୟାଥି ଡାକ୍ତର ଏବଂ ମାଆ ଅଂଗନବାଡି କର୍ମୀ। ଘରେ ପାଠ ଏବଂ ଚିତ୍ର ପ୍ରତି ଉତ୍ସାହିତ କରାଯାଉଥିଲେ ମଧ୍ୟ ଆର୍ଥିକ ଅନାଟନ ଯୋଗୁଁ ଆଗକୁ ବଢିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ସୋସିଆଲ ମିଡିଆରେ ଏବେ ରେବାଙ୍କ ବିଭିନ୍ନ ଚିତ୍ର ପ୍ରଦର୍ଶିତ ହେବା ପରେ ସେ ଏବେ ଜିଲ୍ଲାରେ ଚର୍ଚ୍ଚିତ ଚେହେରା ବନିଯାଇଛନ୍ତି। ତାଂକର ଚିତ୍ରଗୁଡିକ ଭାଇରାଲ ହେବା ପରେ ଲୋକେ ତାଂକୁ ଜାଣିବା ଆରମ୍ଭ କଲେଣି। ସିଭିଲ ଇଂଜିନିୟରିଂ ଶିକ୍ଷା ଲାଭ କରୁଥିଲେ ମଧ୍ୟ ସେ ନିଜର ନିଶାକୁ ପେଶା କରିବା ପାଇଁ ଇଛା ପ୍ରକଟ କରିଛନ୍ତି।

Sambad

ଚିତ୍ର କଳା ଶିକ୍ଷା ଲାଭ କରିପାରିନଥିଲେ ମଧ୍ୟ ସେ ୟୁଟ୍ୟୁବକୁ ଧନ୍ୟବାଦ ଦେଇଛନ୍ତି। ସେଥିରୁ ସେ ପ୍ରତିଦିନ ବହୁ ଜିନିଷ ଶିଖିପାରିଛନ୍ତି ବୋଲି କହିଥିଲେ। ତେବେ ଲକ୍ ଡାଉନ ତାଂକର ଏହି କଳାକୁ ଆହୁରି ସଫଳ କରିଛି। ପ୍ରତିଦିନ ଚିତ୍ର ଆଙ୍କିବା ଅଭ୍ୟାସ କରି ଆଜି ସେ ଜଣେ ଦକ୍ଷ ଚିତ୍ରଶିଳ୍ପୀ ଭାବେ ବେଶ ପରିଚିତ। ଅଳ୍ପ ବୟସରେ ସେ ଏଭଳି ଚିତ୍ର ଆଙ୍କୁଥିବାରୁ ପ୍ରଶାସନ ତରଫରୁ ଯଦି ତାଂକୁ ସହଯୋଗର ହାତ ବଢାଯାନ୍ତା ତେବେ ସେ ଆହୁରି ଆଗକୁ ବଢିପାରନ୍ତେ ବୋଲି କୁହାଯାଇଛି। ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ପୂର୍ବରୁ ତାଂକର ଏହି ଅନ୍ତର୍ନିହିତ ଗୁଣକୁ ଲୋକଲୋଚନକୁ ଆଣବାକୁ ଦାବି ହୋଇଛି। ପୁଣି ଜିଲ୍ଲାରେ ଏକ ଚିତ୍ରକଳା ଶିକ୍ଷା ଲାଭ କରିବା ନେଇ ସ୍କୁଲ ଖୋଲିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର