ନକ୍ସଲଙ୍କୁ ଟକ୍କର ଦେବେ ମହିଳା କମାଣ୍ଡୋ

ମାଲକାନଗିରି: ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ପିଠିରେ ୩୫ କିଲୋ ବ୍ୟାଗ। ନକ୍ସଲଙ୍କୁ ମୁକାବିଲା କରିବାକୁ ବାହିରି ପଡିଛନ୍ତି ସୀମାନ୍ତ ଛତିଶଗଡର ସୁକମାର ପାଲମପାଲୀ ଜଂଗଲକୁ। ନୂଆ ରଣନୀତି ଅନୁଯାୟୀ ଏମିତି ମାଓ ଦମନ ଅଭିଯାନରେ ସାମିଲ ହୋଇଛନ୍ତି ମହିଳା କମାଣ୍ଡୋ। ଛତିଶଗଡର ବଛା ବଛା ଦକ୍ଷ ମହିଳା ପୁଲିସ ଅଧିକାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିମ ଦେଇ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରାଯାଇଛି। ଯାହାକି ଏବେ ଓଡିଶା ଏବଂ ଛତିଶଗଡରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ମାଲକାନଗିରି ସୀମାନ୍ତରେ ଏହି ମହିଳା କମାଣ୍ଡୋଙ୍କୁ ଦେଖିବାକୁ ମିଳିଥିଲା। ସୁକମା ଏସପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ବହୁ ମହିଳା ନକ୍ସଲ ଧରାପଡୁଛନ୍ତି ନଚେତ ମୃତ୍ୟୁବରଣ କରୁଛନ୍ତି। ତେବେ ଏମାନଙ୍କୁ ଦେଖାଶୁଣା କରିବା କିମ୍ବା ଖାନତଲାସି କରିବା ପାଇଁ ମହିଳା କମାଣ୍ଡୋ ରହିବା ଦରକାର। ବହୁ ସମୟରେ ଯବାନଙ୍କ ପ୍ରତି ଖରାପ ବ୍ୟବହାର ନେଇ ଅଂଗୁଳି ନିର୍ଦେଶ କରାଯାଉଛି। ଏଥିପାଇଁ ମହିଳା କମାଣ୍ଡୋଙ୍କୁ ତାଲିମ ଦେଇ ଏବେ ଅପରେସନରେ ଛଡାଯାଉଛି। ନକ୍ସଲଙ୍କୁ ସାମ୍ନା କରିବା ସହ ଆଦିବାସୀ ଅଂଚଳରେ ଅଶିକ୍ଷିତ ମହିଳାଙ୍କୁ ଏମାନେ ମୁଖ୍ୟସ୍ରୋତରେ ସାମିଲ ହେବା ସହ ଉଚିତ ମାର୍ଗ ଦର୍ଶନ କରିବେ। ଯାହାକି ଏମାନଙ୍କ ଦ୍ୱାରା ଅତି ସହଜ ହେବ। ଓଡିଶା ଏବଂ ପଡୋଶୀ ଛତିଶଗଡର ବିଭିନ୍ନ ମାଓ ସଂଗଠନରେ ମହିଳା ନକ୍ସଲଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହଁ। ମହିଳା ନକ୍ସଲ ମଧ୍ୟ ବିଭିନ୍ନ ଅସ୍ତ୍ରଶସ୍ତ୍ରର ତାଲିମ ନେଇ ପୁଲିସ ସହ ଯୁଦ୍ଧ ଡାକରା ଦେଉଛନ୍ତି। ମହିଳା କମାଣ୍ଡରଙ୍କୁ ଆଗରେ କରି ନକ୍ସଲମାନେ ଖସିଯିବାରେ ସଫଳ ହେଉଛନ୍ତି। ଏହାର ମୁକାବିଲା ପାଇଁ ପୁଲିସ ବର୍ତମାନ ପ୍ରସ୍ତୁତ ରହିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୫ ମସିହା ସେପ୍ଟେମ୍ବର ମାସରେ ଦରଭା ଅଂଚଳରେ ପିସୋ, ନଭେମ୍ବର ୧୩, ୨୦୧୫ରେ ବିଜାପୁର ଜିଲ୍ଲାର ଝୁମକି ମାଡକାମି ଏବଂ ରୁକନୀ ଅରଫ ସୁନ୍ଦରୀର ମୃତ୍ୟୁ, ୧୯ ନଭେମ୍ବର ୨୦୧୫ରେ ଆସା ଜୋଗୀର ମୃତ୍ୟୁ, ୨୦୧୫ ଜୁଲାଇରେ ତଣ୍ଡକିରେ ଦୁଇ ମହିଳା ନକ୍ସଲଙ୍କ ମୃତ୍ୟୁ, ୨୨ ନଭେମ୍ବରରେ ଦନ୍ତେୱାଡା ଠାରେ ରାମେ, ସୋନି, ମାସେ, ପଣ୍ଡିକୁ ନକ୍ସଲମାନେ ଆଗରେ ରଖି ମୃତ୍ୟୁ ମୁଖରେ ପକାଇଥିଲେ। ୨୦୧୬ ମସିହା ଜାନୁୟାରୀ ମାସ ୬ତାରିଖ ଦିନ ଆବାପାଲୀ ଥାନା ଅନ୍ତର୍ଗତ ଗୁଟ୍ଟୁମ ଅଂଚଳରେ ମହିଳା କମାଣ୍ଡର କମଳାଙ୍କୁ ଆଗରେ ରଖି ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ମହିଳା ନକ୍ସଲଙ୍କୁ ସାମ୍ନା କରିବା ପାଇଁ ଏବେ ମହିଳା କମାଣ୍ଡୋଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୫ ଡିସେମ୍ବର ମାସ ୧୧ତାରିଖ ଦିନ ବିଜାପୁର ଠାରେ ମାଓବାଦୀଙ୍କ ସହ ଗୁଳି ବନିମୟରେ ୪ଜଣ ମହିଳା କମାଣ୍ଡୋ ସାମିଲ ଥିଲେ। ବୀରତ୍ୱର ସହ ଆଗରେ ରହି ନକ୍ସଲଙ୍କୁ ତଡିବାରେ ସଫଳ ହୋଇଥିଲେ ମହିଳା କମାଣ୍ଡୋ। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମହିଳା ନକ୍ସଲଙ୍କୁ ମଧ୍ୟ ମାରିଥିଲେ। ସୁକମାର ପାଲମପାଲୀ ଅଂଚଳରେ ସାମିଲ ହୋଇଥିବା ଏହି ମହିଳା କମାଣ୍ଡୋଙ୍କ୍‌ୁ ଛତିଶଗଡରେ ପ୍ରଶଂସା କରାଯାଇଛି। ଓଡିଶାରେ ମଧ୍ୟ ଏହାର ଅନୁରୂପ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। କିପରି ଜଂଗଲରେ ନକ୍ସଲ ସହ ମୁକାବିଲା କରିବେ ଏନେଇ ମହିଳା କମାଣ୍ଡୋଙ୍କୁ ତାଲିମ ପ୍ରଦାନ କରାଯାଉଛି। ତେବେ କେଉଁ ମହିଳା ଦଳ ଏହି ଯୁଦ୍ଧରେ ସଫଳ ହେଉଛନ୍ତ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର