ମାଲକାନଗିରି ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ନ୍ୟାୟ ପାଇବା ପାଇଁ ଆଜି ସକାଳେ ଜଣେ ମହିଳା କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।ଘଟଣା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଗଂଗଲା ଗ୍ରାମର ସୁକାନ୍ତି ମାଝି ଏବଂ ତାଂକ ପରିବାର ମଧ୍ୟରେ ଗତ ୯ ତାରିଖ ଦିନ ଗଣ୍ଡଗୋଳ ହୋଇଥିଲା। ତେବେ ସୁକାନ୍ତିଙ୍କୁ ତାଂକର ସଂପର୍କୀୟମାନେ ମାରଧର କରିଥିବା ନେଇ ୯ ତାରିଖ ଦିନ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତନାଘନା କରୁଥିଲା। ପୁଲିସ କାହିଁକି ସେମାନଙ୍କୁ ଉଠାଇ ଆଣୁନାହାନ୍ତି ଏବଂ ଆମକୁ ନ୍ୟାୟ ପ୍ରଦାନ କରୁନାହାନ୍ତି କହି ସୁକାନ୍ତି ଆଜି ଥାନା ସମ୍ମୁଖରେ ନିଜ ଉପରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ପୁଲିସ ଏବଂ ଥାନାରେ ଥିବା କିଛି ଲୋକ ସୁକାନ୍ତିଙ୍କୁ ଉଦ୍ଧାର କରିଥିଲେ। ସୁକାନ୍ତି ନିଜ ଉପରେ କିରୋସିନି ଢାଳି ସାରିଥିଲେ। କିନ୍ତୁ ନିଆଁଲଗାଇବା ସମୟରେ ପୁଲିସ ଏବଂ ସ୍ଥାନୀୟ ଲୋକେ ତାଂକୁ ରକ୍ଷା କରିଥିଲେ। ତୁରନ୍ତ ପୁଲିସ ସୁକାନ୍ତିଙ୍କୁ ଉଦ୍ଧାର କରିଥିଲା। ପରେ ମା’ ଘର ସୁରକ୍ଷା ସେନା ପକ୍ଷରୁ ପ୍ରଶାନ୍ତିଲତା ବିଷୋୟୀ ଏବଂ ଦୁଲାଲି ଥଣ୍ଡର ଏବଂ ପୁଷ୍ପାଞ୍ଜଳି ମହାପାତ୍ର ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମେଡିକାଲରେ ସୁକାନ୍ତିର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପୁଲିସ ଏହି ଘଟଣାରେ ଅନ୍ୟ ପକ୍ଷକୁ ବାରମ୍ବାର ନୋଟିସ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର