ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର :ଘରୋଇ କଳହରୁ ଆତ୍ମହତ୍ୟା ସନ୍ଦେହ

ବାଲିମେଳା: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସିର ଡ୍ରଗ୍‌ ଲାଇନ୍‌-୩ର ଏକ ଭଡା ଘରୁ ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶବ ରତିକାନ୍ତ ବେହେରାଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ବେହେରା(୨୬)ଙ୍କ ବୋଲି ଜଣାପଡିଛି। ଘରୋଇ କଳହରୁ ଶ୍ରଦ୍ଧାଞ୍ଜଳି ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ପୁଲିସ କହିଛି।

ସୂଚନା ଅନୁଯାୟୀ, ରତିକାନ୍ତଙ୍କ ପରିବାର ଲୋକ ବାଲିମେଳା ଏନଏସିର ଆୟାପ୍ପା ଲାଇନ୍‌ରେ ରୁହନ୍ତି। ରତିକାନ୍ତ ଗତ କିଛି ମାସ ହେଲା ପତ୍ନୀ ଶ୍ରଦ୍ଧାଞ୍ଜଳି ଓ ୨ଝିଅଙ୍କୁ ନେଇ ଡ୍ରଗଲାଇନ୍‌-୩ରେ ଭଡା ଘରେ ରହି ଆସୁଥିଲେ। ଆଜି ଶ୍ରଦ୍ଧାଞ୍ଜଳି ନିଜର ୨ଝିଅଙ୍କୁ ଧରି ଶାଶୂଙ୍କ ଘରକୁ ଯାଇଥିଲେ। ସେଠାରେ ୨ଝିଅଙ୍କୁ ଛାଡି ଶ୍ରଦ୍ଧାଞ୍ଜଳି ଭଡା ଘରକୁ ଆସିଥିଲେ। ସକାଳ ପ୍ରାୟ ୧୧ଟାରେ ରତିକାନ୍ତ ବଜାରକୁ ପରିବା ଆଣିବା ପାଇଁ ଯାଇଥିଲେ। ପରିବା କିଣି ଘରକୁ ଫେରିବା ସମୟରେ କବାଟ ଭିତର ପଟୁ ବନ୍ଦ ରହିଥିବା ରତିକାନ୍ତ ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି କବାଟ ବାଡେଇବା ପରେ ମଧ୍ୟ ଶ୍ରଦ୍ଧାଞ୍ଜଳି କବାଟ ଖୋଲନିଥିଲେ। ପରେ ରତିକାନ୍ତ କବାଟ ଭାଙ୍ଗି ଘର ଭିତରକୁ ପଶିବା ବେଳକୁ ଏକ ଫ୍ୟାନରେ ଶ୍ରଦ୍ଧାଞ୍ଜଳିଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଓର୍କେଲ ଥାନା ଏଏସ୍‌ଆଇ ଗୋପାଳକୃଷ୍ଣ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମାଲକାନଗିରି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘରୋଇ କଳହରୁ ହିଁ ଶ୍ରଦ୍ଧାଞ୍ଜଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର