ପୋଖରୀରେ ବୁଡ଼ି ଯୁବକ ମୃତ

ମାଥିଲି: ମାଲକାନଗିରି ଜିଲ୍ଲା ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ଶିରାଗୁଡା ଗ୍ରାମର ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ମାଥିଲି ଦମକଳ ବାହିନୀ ପୋଖରୀରୁ ଶବ ଉଦ୍ଧାର କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନା ଅନୁଯାୟୀ, ଶିରାଗୁଡା ଗ୍ରାମର ଗଣ୍ତେଶ୍ବର ଦଳେଇ(୩୫) ଗତକାଲି ଗାଈ ଚରାଇବାକୁ ଯାଇ ଅପରାହ୍ନରେ ଘରକୁ ଫେରିଥିଲେ। ପ୍ରବଳ ଗରମ ଅନୁଭୂତ ହେବାରୁ ପରିବାର ଲୋକଙ୍କୁ କହି ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପରେ ଘରକୁ ଫେରିନଥିଲେ। ପରିବାର ଲୋକ ପୋଖରୀ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ଗଣ୍ତେଶ୍ବରଙ୍କୁ ପାଇନଥିଲେ। ଆଜି ସକାଳେ ଗ୍ରାମର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ଗଣ୍ବେଶରଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ମାଥିଲି ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ପୋଖରୀ ଭିତରୁ ଗଣ୍ତେଶ୍ବରଙ୍କ ଶବ ଉଦ୍ଧାର କରିଥିଲେ। ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ମାଥିଲି ଥାନାରେ କେଶ୍‌ ନ˚-୧୬/୧୮ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ମାଥିଲି ଥାନା ଏସ୍‌ଆଇ ସୋମନାଥ ଦଳବେହେରା ସୂଚନା ଦେଇଛନ୍ତି। ଗଣ୍ତେଶ୍ବରଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସମ୍ବନ୍ଧିତ ଖବର