ବିବାହରେ ଯୋ‌ଗ ଦେବାକୁ ଯାଇ ଯୁବକ ନିଖୋଜ

ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପାଲାଗୁଡା ଗ୍ରାମର ଜଣେ ଯୁବକ ଶନିବାର ଦିନ ଠାରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଯୁବକ ଜଣକ ନ‌‌ିଖୋଜ ହୋଇଯିବା ପରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି। ପଡିଆ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୭ଟାରେ ପାଲାଗୁଡା ଗ୍ରାମର ବାଣ୍ଡି ମାଡକାମିଙ୍କ ପୁଅ ରାଜୁ ମାଡକାମି(୨୪) ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ମଟମଗୁଡା ଗାଁକୁ ଯାଇଥିଲେ। ବାହାଘର ସରିବା ପରେ ରାଜୁ ମଟମଗୁଡାରେ ରହୁଥିବା ସଂର୍ପକୀୟ ଆନନ୍ଦ ବାଟାଙ୍କ ଘରେ ଶୋଇଥିଲେ। ରାତି ପ୍ରାୟ ସାଢେ ୩ଟାରେ ରାଜୁଙ୍କ ମୋବାଇଲକୁ ଏକ କଲ୍ ଆସିବାରୁ ସେ ନିଜ ବାଇକ୍ ଧରି ବାହାରକୁ ଯାଇଥିଲେ। କିନ୍ତୁ ଗତକାଲି ସକାଳ ସୁଦ୍ଧା ରାଜୁ ଘରେ ନପହଞ୍ଚିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ। ଏନେଇ ରାଜୁଙ୍କ ମା’ ରବିବାର ଅପରାହ୍ନରେ ପଡିଆ ଥାନାରେ ଏତଲା ଦେବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ବି‌ଷ୍ଣୁ ନାୟକ ଓ ପୁଲିସ କର୍ମଚାରୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମଟମଗୁଡା ଗ୍ରାମ ଠାରୁ ୨ଶହ ମିଟର ଦୂରରେ ରାଜୁଙ୍କ ବାଇକ୍ ଥିବା ପୁଲିସ ଦେଖିଥିଲା। ବାଇକ୍‌ ନିକଟରେ କିଛି ରକ୍ତଛିଟା ପଡିଥିବା ପୁଲିସ କହିଛି। ଅତି ଶୀଘ୍ର ପୁଲିସ ଏହି ଘଟଣାରେ ସଫଳତା ପାଇବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର